
ମାଲକାନଗିରି, ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହି ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କ ସରକାରୀ ବାସଭବନ ଉପରେ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲ ବୋମା ମାଡ ହୋଇଛି । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ତାଙ୍କ ପରିବାର ଲୋକେ ।
ମିଳିଥିବା ସୂଚନା ଅନୁଯାୟୀ, ନିର୍ବାହି ଅଧିକାରୀ ଶ୍ରୀ ରଥ ରହୁଥିବା ଅଫିସର କଲୋନୀ ସରକାରୀ ବାସଗୃହ ଉପରେ ରାତି ପ୍ରାୟ ୨ଟା ସମୟରେ ଦୁର୍ବୃତ ମାନେ ଏକ ସଙ୍ଗେ ୩ରୁ ୪ଟି ପେଟ୍ରୋଲ ବୋମା ଘର ଉପରକୁ ଫିଙ୍ଗି ଥିଲେ । ଏଥିରେ ଘରର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ପରିବାର ଲୋକେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତି ଯାଇଛନ୍ତି ।
ଅନ୍ୟପକ୍ଷରେ ଏହି ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ସେହିପରି ବାଲିମେଳା ଅଂଚଳରେ ପ୍ରଥମ ଥର ପାଇଁ ଏଭଳି ପେଟ୍ରୋଲ ବୋମା ଆକ୍ରମଣ ଘଟଣା ଘଟିଥିବାରୁ ପୋଲିସର ରାତ୍ରକାଳୀନ ପାଟ୍ରୋଲିଂ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ସକାଳୁ ଏ ସମ୍ପର୍କରେ ଖବର ପାଇ ଓର୍କେଲ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ନିର୍ବାହି ଅଧିକାରୀଙ୍କ ଘର ଉପରକୁ ଏଭଳି ପେଟ୍ରୋଲ ବୋମା ଫିଙ୍ଗିଲା । ଏହା ପଛରେ କଣ କାରଣ ରହିଛି, ସେନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।