
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାରେ ଆଜି ସକାଳେ ବଲାଙ୍ଗିରର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ଦ୍ଵାରା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରୁ ସବୁଜ ପତାକା ଦେଖାଇ ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ ହୋଇଛି। ରାଜ୍ଯ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ ଦ୍ଵାରା ପରିଚାଳିତ ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ସଚେତନତା ସୃଷ୍ଟି ନିମନ୍ତେ ଆଜିଠାରୁ ବୁଲିବା ଆରମ୍ଭ କରିଛି। ଏତଦ୍ ବ୍ୟତୀତ ବିଭିନ୍ନ ସ୍ଥାନରେ ସଚେତନତା ରାଲି ମାଧ୍ୟମରେ ଶିଶୁ ଶ୍ରମିକ ନିରାକରଣର ବାର୍ତ୍ତା ଜନସାଧାରଣରେ ପ୍ରଚାର ମାଧ୍ୟମରେ ସେମାନଙ୍କୁ ସଚେତନ କରାଯିବ। ଶିଶୁ ଶ୍ରମିକ ଆଇନରେ ଥିବା ବ୍ୟବସ୍ଥା କଟକଣା ଇତ୍ୟାଦି ବାବାଦରେ ଏହି ରଥ ପ୍ରଚାର କରିବ ।
ଏହି ସଚେତନତା ରଥ ଆରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ, ସୂଚନା ଲୋକସଂପର୍କ ବିଭାଗ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ ଦାନମଣି ସୋରେନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ଜିଲ୍ଲା ଶ୍ରମ ନିରୀକ୍ଷକ ଅଶୋକ କୁମାର ଡୁଙ୍ଗଡୁଙ୍ଗ, ନିରଞ୍ଜନ ଭୂୟାଁ, ପ୍ରଶାନ୍ତ କୁମାର ସୁନା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରମ ଆଇନ୍ ୧୯୮୬ ଅନୁସାରେ ୧୪ ବର୍ଷ ପୂର୍ଣ୍ଣ କରିନଥିବା କୌଣସି ପ୍ରକାର ବୃତ୍ତି ପ୍ରକ୍ରିୟାରେ ତଥା ୧୫ ରୁ ୧୮ ବର୍ଷ ଭିତରେ ଥିବା କିଶୋରକୁ ବିପଦସଙ୍କୁଳ ବୃତ୍ତି ପ୍ରକ୍ରିୟାରେ ନିୟୋଜିତ କରିବା ନଜରକୁ ଆସିଲେ ତୁରନ୍ତ ଜିଲ୍ଲା ଶ୍ରମବିଭାଗ ଅଧିକାରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିପାରିବେ। ଏତଦ୍ ବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରାଯିବାକୁ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।