ମାଲକାନଗିରି, ଦଶବର୍ଷ ତଳେ ମାଓବାଦୀ ଧମକ ଦେଇ ଗାଁରୁ ତଡ଼ି ଦେଇଥିଲେ । ଜୀବନ ବଞ୍ଚାଇବା ପାଇଁ ପିଲାଛୁଆ ଧରି ଭିଟାମାଟି ଛାଡ଼ିଥିଲେ ସ୍ଵାଭିମାନ ଅଞ୍ଚଳର ୨୦୦ ପରିବାର । ଜୀବନ ବିକଳରେ ନିଜ ପରିବାର ସୁରକ୍ଷା ଚିନ୍ତାରେ ଚିତ୍ରକୋଣ୍ଡା, କୁଡୁମୁଲୁଗୁମ୍ମା ଓ କୋରୁକୋଣ୍ଡା ପଳାଇ ଆସି କାଟୁଥିଲେ ଏକ ପ୍ରକାର ଦୁର୍ବିସହ ଜୀବନ । ଇତିମଧ୍ୟରେ ୧୦ ବର୍ଷ ବିତିଲାଣି । ବିଚ୍ଛିନ୍ନାଞ୍ଚଳ ଚିତ୍ରକୋଣ୍ଡା ଏବେ ସ୍ଵାଭିମାନ ଅଞ୍ଚଳର ମାନ୍ୟତା ପାଇଛି । ଆଉ ସେଠି ନାହିଁ ମାଓ ଡର । ସେତୁ ସହ ବିଜୁଳି ସଂଯୋଗ ହୋଇଛି । ଚିତ୍ରକୋଣ୍ଡା ରୂପ ବଦଳାଇଥିବା ପ୍ରଶାସନ ଦାବି କରୁଛି ; କିନ୍ତୁ ହସଖୁସିରେ ଚଳୁଥିଲେ ସେମାନେ । କୃଷି କାର୍ଯ୍ୟ ସହ ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିଲେ । ମୌଳିକ ସୁବିଧା ଅପହଞ୍ଚ ଥିଲା ସତ ; ତଥାପି ନିଜର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ନିଜ ଗ୍ରାମରେ ରହିଥିଲେ ଆଦିବାସୀ । ମାଓ ଦମନ ଲାଗି ଓଡ଼ିଶା ପୁଲିସ ଆନ୍ଧ୍ର ପୁଲିସ ସହାୟତାରେ ବୁଡ଼ି ଅଞ୍ଚଳରେ ପ୍ରବେଶ କରି ରାମାଗୁଡା ଠାରେ ୫୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ନିହତ କରିଥିଲା । ଏହି ଘଟଣା ପରେ ରକ୍ତମୁଖା ଲାଲବାହିନୀ ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ସହ ପୁଲିସ ସୂଚନାଦାତା ସନ୍ଦେହରେ ପ୍ରଜାକୋର୍ଟ କରି ସେମାନଙ୍କୁ ନିର୍ଯାତନା ଦେଲେ । ଅନେକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଗଲା । ଏଭଳି ଦୁଇଶହ ପରିବାରକୁ ମାଓବାଦୀ ଗାଁରୁ ତଡ଼ିଦେଲେ । ପ୍ରଜାକୋର୍ଟର ନିଷ୍ପତିରେ ଗାଁ ନ ଛାଡ଼ିଲେ ମୃତ୍ୟୁଦଣ୍ଡ ଭୟ ଏହି ୨୦୦ ପରିବାରକୁ ଭିଟାମାଟି ଛାଡିବାକୁ ବାଧ୍ୟ କଲା । ଇତିମଧ୍ୟରେ ଏହି ୨୦୦ ପରିବାରକୁ ପ୍ରଶାସନ ନିରାପତ୍ତାର ସେଭଳି ଦୃଢ ପ୍ରତିଶ୍ରୁତି କିମ୍ବା ଆଶ୍ଵାସନା ଦେଇପାରୁନାହିଁ । ଦଶନ୍ଧି ତଳେ ଛାଡିଯାଇଥିବା ଭିଟାମାଟିକୁ ଫେରିପାରିନାହାନ୍ତି ସେମାନେ । ପ୍ରଶାସନ ସେମାନଙ୍କୁ ଥଇଥାନ ପାଇଁ ଭରସା ଦେଇପାରୁନି । ବିଲବାଡି ଥିବା ଏହି ପରିବାର କେବଳ ବାସ୍ତୁହରା ନୁହେଁ ; ଶ୍ରମିକ ପାଲଟିଯାଇଛନ୍ତି । ଭିଟାମାଟିକୁ ଫେରିଯିବା ପାଇଁ ଇଚ୍ଛା ହେଉଛି ; ତଥାପି ସେମାନେ ଭୟରେ ଗୋଡ଼ କାଢ଼ିପାରୁନାହାନ୍ତି । କାରଣ ଚିତ୍ରକୋଣ୍ଡା ବ୍ଲକର ଗୁରୁପ୍ରିୟା ପୋଲ ଅପରପାର୍ଶ୍ଵରେ ଥିବା ୧୫୨ଟି ଗ୍ରାମ ଏକଦା ବିଛିନ୍ନାଞ୍ଚଳ ଥିଲା । ମାଓବାଦୀଙ୍କ ଇସାରାରେ ସବୁକିଛି ଚାଲିଥିଲା । ଦୀର୍ଘ ୭୦ ବର୍ଷ ପୂର୍ବେ ଚିତ୍ରକୋଣ୍ଡା ନଦୀବନ୍ଧ ଯୋଜନା ଆରମ୍ଭ ବେଳେ ନଦୀ ଗର୍ଭରେ ରହିଯାଇଥିଲା ୯ଟି ପଞ୍ଚାୟତ ଯୋଡାମ୍ବ, ଅନ୍ଡ୍ରାପାଲି, ବଡପଡ଼ା, ବଡପଦର, ପଣସପୁଟ, ଯନ୍ତ୍ରୀ, ରାଲେଗେଡ଼ା, ପାପରମେଟଲା, ଧୂଳିପୁଟ ପଞ୍ଚାୟତ । ମାଓବାଦୀଙ୍କ ହିଂସା ସତ୍ତ୍ବେ ଭିଟାମାଟିରେ ହସଖୁସିରେ ବିତୁଥିଲା ଆଦିବାସୀଙ୍କ ଜୀବନ । ତତ୍କାଳୀନ ପୁଲିସ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଚିତ୍ରକୋଣ୍ଡାରେ ଥିବା ଦିଦାୟୀ ଗୃହରେ ଅସ୍ଥାୟୀ ଭାବେ ଏମାନଙ୍କୁ ଥଇଥାନ କରିଥିଲା । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ ପ୍ରଦାନ କରାଯାଉଥିଲା । ସେବେଠାରୁ ବଞ୍ଚିବା ପାଇଁ ରାତି ପାହିଲେ ସଂଘର୍ଷ କରୁଛନ୍ତି ଏମାନେ । କେହି କେହି ଦାଦନ ଶ୍ରମିକ ଭାବେ ଆନ୍ଧ୍ର ଚାଲି ଯାଇ ସେମାନଙ୍କର ଖୋଜ ଖବର ନାହିଁ । ଆଉ କିଛି ପରିବାର କୁଡୁମୁଲୁଗୁମ୍ମା ଯାଇ ସେଠାରେ ଛୋଟିଆ ଘର ନିର୍ମାଣ କରି ରହିଥିଲେ । ତଥାପି ମାଓବାଦୀଙ୍କ ରାଗ ଶାନ୍ତ ପଡ଼ି ନ ଥିଲା । କୁଡୁମୁଲୁଗୁମ୍ମା ବ୍ଲକ ଅସ୍ଥାୟୀ କ୍ୟାମ୍ପ ଉପରେ ଆକ୍ରମଣ କରି ଦୁଇଜଣଙ୍କୁ ହତ୍ୟା କରିଥିଲେ । ଭୟ ଓ ଆତଙ୍କ ଭିତରେ ଆଜି ବି ଏହି ପରିବାର ଲୋକଙ୍କ ଦିନ ବିତୁଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ଥାନା ପଛରେ କିଛି ସରକାରୀ ଜାଗା ପ୍ରଦାନ କରିବା ପରେ ଏଠାରେ ପ୍ରାୟ ୭୦ଟି ପରିବାର ବସବାସ କଲେ । କିନ୍ତୁ, ସେମାନେ ଏବେ ବି କର୍ମସଂସ୍ଥାନ ପାଇଁ ଭିଟାମାଟିକୁ ଝୁରୁଛନ୍ତି । ରାଜ୍ୟ ସରକାର ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଘୋଷଣା କଲେ । ଗୁରୁପ୍ରିୟା ସେତୁ ବିକାଶର କଥା କହିଲା । ଦୁର୍ଗମ ଅପହଞ୍ଚ ଇଲାକାକୁ ରାସ୍ତା ନିର୍ମାଣ ସହ ମାଓ ପ୍ରଭାବିତ ଅଞ୍ଚଳରେ ବିଏସଏଫ କ୍ୟାମ୍ପ୍ ( ସୀମା ସୁରକ୍ଷା ବଳ ଶିବିର ) ପ୍ରତିଷ୍ଠା ହେଲା । ଲାଲବାହିନୀ ପଛଘୁଞ୍ଚା ଦେଲେ, ସୁରକ୍ଷା ସହ ବିକାଶର ଡିଣ୍ଡିମ ପିଟିଲେ ରାଜ୍ୟ ସରକାର; କିନ୍ତୁ ମାଓ ଡରରେ ଘର ଛାଡ଼ିଥିବା ଏହି ଲୋକଙ୍କୁ ପୁନଃ ଥଇଥାନକୁ ସମ୍ପୂର୍ଣ୍ଣ ଭୁଲିଯାଇଥିବା ଅଭିଯୋଗ ହୋଇଛି । ମାସକୁ ସରକାରୀ ସହାୟତା ସ୍ଵରୂପ ଟଙ୍କିକିଆ ଚାଉଳ ଓ କିଛି ଭତ୍ତା ଏମାନଙ୍କ ସାହାରା । ନୂଆଗୁଡାରେ ରହୁଥିବା ପ୍ରାୟ ୫୦ ପରିବାର ଅନ୍ଧାରରେ । ସେମାନଙ୍କୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦିଆ ଯାଇନାହିଁ । ଚଳିତ ଥର ପ୍ରଥମ କରି ଏଠାରେ ପଞ୍ଚାୟତ ନିର୍ବାଚନ ହୋଇଥିବା ବେଳେ କିଛି ରାଜନେତା ଭୋଟ ଲକ୍ଷ୍ୟରେ ଏହି ଲୋକଙ୍କୁ ସ୍ଵତନ୍ତ୍ର ଗାଡ଼ି କରି ନେଇଥିଲେ ସେମାନଙ୍କ ଗ୍ରାମକୁ । ଦଶବର୍ଷ ପରେ ଭିଟାମାଟିରେ ପାଦ ଥାପି ଆତ୍ମହରା ହୋଇପଡ଼ିଥିଲେ ବିସ୍ଥାପିତ । ସେମାନଙ୍କ ଘର ଏବେ ଉଜୁଡ଼ିଯାଇଥିବାବେଳେ ଜମି ଅନ୍ୟମାନେ ଅକ୍ତିଆର କରି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଦୁଃଖର କଥା ଭୋଟଦାନ ପରେ ଏମାନଙ୍କୁ ପୁଣି ଚିତ୍ରକୋଣ୍ଡା ଆଣି ଛାଡ଼ି ଦିଆଗଲା ସିନା ସେମାନଙ୍କୁ ଭିଟାମାଟିକୁ ଫେରାଇବାର ବନ୍ଦୋବସ୍ତ କରାଯାଇପାରିଲା ନାହିଁ । ନିର୍ବାଚନ ପୂର୍ବରୁ ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ସହ ପୁନଃ ଥଇଥାନ ପାଇଁ ମାଳ ମାଳ ପ୍ରତିଶ୍ରୁତି ମିଳିଥିଲା । ଭୋଟ ପରେ ଏସବୁ କେଉଁଆଡ଼େ ମିଳାଇଗଲାଣି । ସେମାନଙ୍କୁ ଭିଟାମାଟି ଡାକୁଛି, ହେଲେ ପ୍ରତିଶ୍ରୁତି କିମ୍ବା ଭରସା ମିଳୁନି । ଏଣୁ ଦୁର୍ବିସହ ଜୀବନ ବିତାଉଥିବା ଏହି ୨୦୦ ପରିବାର ଏବେ ଚିନ୍ତାରେ ।
ଏ ନେଇ ତହସିଲଦାର ପି.ପଦ୍ମନାଭ ଦୋରା କହିଛନ୍ତି ଯେ, ଯେଉଁମାନଙ୍କୁ ମାଓବାଦୀ ହତ୍ୟା କରିଛନ୍ତି ସେମାନଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଦେବା ସହ ଭତ୍ତା ଦେଉଛନ୍ତି । ପୁନର୍ବାସ ଥଇଥାନ ପାଇଁ ଆଇଟିଡିଏ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ବ୍ଲକ ପକ୍ଷରୁ ସେମାନଙ୍କୁ କର୍ମନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ପିଲାଙ୍କ ପାଠପଢ଼ା ପାଇଁ ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ବାସଗୃହ ପାଇଁ ଜାଗା ଦିଆଯାଇଛି । ଏତେ ସୁବିଧା ସୁଯୋଗ ସତ୍ତ୍ଵେ ଯଦି କେହି ଗାଁକୁ ଯିବାକୁ ଇଚ୍ଛାବ୍ୟକ୍ତ କରନ୍ତି ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।