ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢିବା ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ବିଜୁଳିର ଦେଖାମିଳୁନି। ସନ୍ଧ୍ୟା ହେଲେ ଲୋ ’ ଭୋଲଟେଜରେ ବିଦ୍ୟୁତ ଉପକରଣ ସଠିକ ଭାବେ କାର୍ଯ୍ୟ କରୁନାହିଁ । ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ନାନା ସମସ୍ୟାରେ ଲୋକେ ଦିନ କାଟୁଛନ୍ତି । ଦୀର୍ଘ ବର୍ଷ ଧରି ମାଲକାନଗିରି, କାଲିମେଳା ଓ ପଡିଆ ଅଞ୍ଚଳରେ ସଠିକ ଭାବେ ବିଦ୍ୟୁତ ବିତରଣ କରିବା ପାଇଁ ୨୦୧୯ ମସିହାରେ ଗ୍ରୀଡ଼ କାମ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ଚାର୍ଜ କରାଯାଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଏହି ଗ୍ରୀଡରୁ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ । ଫଳରେ ଏହି ଅଞ୍ଚଳର ପ୍ରାୟ ଦୁଇ ଲକ୍ଷ ଉପଭୋକ୍ତା ଲୋ ଭୋଲ୍ଟେଜ, ବାରମ୍ବାର ବିଦ୍ୟୁତ କାଟ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଓପିଟିସିଏଲର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା। ନୂତନ ଗ୍ରୀଡ଼ କାର୍ଯ୍ୟକ୍ଷମ ହେଉନଥିବାରୁ ବିଜୁଳି ସମସ୍ୟା ଭୋଗୁଛନ୍ତି ହଜାର ହଜାର ପରିବାର। ଅନ୍ୟପଟେ ଗ୍ରୀଡ଼ ନିର୍ମାଣ ହେବାର ଚାରି ବର୍ଷ ବିତିଥିବା ବେଳେ ତାହାକୁ ଚାର୍ଜ କରି ବିଦ୍ୟୁତ ବିଭାଗକୁ ଓପିଟିସିଏଲ୍ ହସ୍ତାନ୍ତର କରୁନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା। ଜିଲ୍ଲାରେ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ୨୦୧ ୬ ମସିହାରେ କାଲିମେଳା ଠାରେ ରାଜୀବ ଜ୍ୟୋତି ଯୋଜନାରେ ୪୬ କୋଟି ବ୍ୟୟରେ ଓପିଟିସିଏଲ୍ ଦ୍ଵାରା ଆରମ୍ଭ କରାଯାଇଥିଲା ଗ୍ରୀଡ୍ କାମ । ଏହି ଗ୍ରୀଡର ନିର୍ମାଣ ମାର୍ଚ୍ଚ ୨୦୧୯ ମସିହାରେ ଶେଷ ହୋଇଥିଲା। ନିର୍ବାହୀ ଯନ୍ତ୍ରୀ ପି.କେ. ନାୟକଙ୍କୁ ପଚାରିବାରୁ, ବନ ବିଭାଗର ମଞ୍ଜୁରି ମିଳିବାରେ ବିଳମ୍ବ ହେଉଥିଲା, କିନ୍ତୁ ବର୍ତ୍ତମାନ ମଞ୍ଜୁରି ମିଳିଯାଇଥିବାରୁ ଗ୍ରୀଡ ଟେନିଂ କାମ ଆରମ୍ଭ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।
Related Stories
November 22, 2024