ମାଲକାନଗିରି, ଜଙ୍ଗଲ ଆମର ମା ’ । ଠାକୁରଙ୍କ ନାଁରେ ଶପଥ କରି କହୁଛୁ ପରମ୍ପରା ନାଁରେ ଆମେ ଆଉ ବନ୍ୟଜନ୍ତୁ ଶିକାର କରିବୁ ନାହିଁ, ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ସହ ଜଙ୍ଗଲରେ ଆଉ ନିଆଁ ଲଗାଇବୁ ନାହିଁ । ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହିପରି ଶପଥ କରି କହିଛନ୍ତି ଓର୍କେଲ ଥାନା ଅନ୍ତର୍ଗତ ସୋରୁଲୁକୋଣ୍ଡା ଗ୍ରାମବାସୀ ।
ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦ୍ବିବେଦୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଛକ ନିକଟରେ ପୁଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ସୋରୁଲୁକୋଣ୍ଡା ଗ୍ରାମର ୨୨ ଜଣ ଗ୍ରାମବାସୀ ୧୨ଟି ମୋଟରସାଇକେଲରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶିକାର କରିବା ଉଦ୍ଦେଶ୍ୟରେ ବାହାରିଥିଲେ ।ଏହି ସମୟରେ ଏସଡ଼ିପିଓ ଅଂଶୁମାନ ଦ୍ବିବେଦୀ ଏବଂ ଥାନାଧିକାରୀ ଜୋହନ କୁଜୁର ସେମାନଙ୍କୁ ଅଟକାଇଥିଲେ । ପଚାରିବାରୁ ସେମାନେ ଟେନଲକ୍ୟାମ୍ପ ଜଙ୍ଗଲକୁ ଶିକାର କରିବାକୁ ଯାଉଥିବା ଗ୍ରାମବାସୀ କହିଥିଲେ । ଏହିପରି ଶିକାର କରି ନିରୀହ ବନ୍ୟପ୍ରାଣୀଙ୍କୁ ନମାରିବାକୁ ଦୁଇ ପୁଲିସ ଅଧିକାରୀ ସେମାନଙ୍କୁ ବୁଝାଇଥିଲେ । ତାସହ ଜଙ୍ଗଲକୁ ସୁରକ୍ଷା ଦେବା ଆଉ ଜଙ୍ଗଲରେ ନିଆଁ ନଲଗାଇବାକୁ ସଚେତନ କରାଇଥିଲେ । ଗ୍ରାମବାସୀ ମଧ୍ୟ ଏଥିରେ ଏକମତ ହୋଇ ସଚେତନ ହେବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବେ ବୋଲି କହିଥିଲେ । ଦୁଇ ପୁଲିସ ଅଧିକାରୀଙ୍କ ଏପରି ସଚେତନତା ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।