-
ସକାଳ ୧୧ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ
ବ୍ରଜରାଜନଗର/ଭୁବନେଶ୍ୱର, ମଙ୍ଗଳବାର ସକାଳ ୭ଟାରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ସମସ୍ତ ବୁଥରେ ଶାନ୍ତିପୂର୍ଣ ଓ ସୁରୁଖୁରୁରେ ମତଦାନ ପ୍ରକ୍ରିୟା ଚାଲିଛି । ସକାଳ ୧୧ ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ହୋଇଥିବା ଜଣା ପଡିଛି । ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ମୋଟ ୨୭୯ ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ୨୭୯ ବୁଥ ମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇ ଥିଲା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୫ଟି ପିଙ୍କ୍ ବୁଥ ଓ ୩୦ଟି ଆଦର୍ଶ ବୁଥ କରାଯାଇଛି । ଝାରସୁଗୁଡା ଜିଲ୍ଲାରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସବୁ ବୁଥରେ ପାନୀୟ ଜଳ ସହ ଓଆରଏସ ପ୍ୟାକେଟର ବନ୍ଦୋବସ୍ତ କରାଯାଇଛି । ପ୍ରଶାସନ କରୋନା କଟକଣା ପାଇଁ ସାନିଟାଇଜର ଓ ମାସ୍କ ବ୍ୟବସ୍ଥା ମଧ୍ୟ କରାଇଛି । ଏହା ବ୍ୟତୀତ ଛତିଶଗଡ ସୀମାକୁ ସିଲ୍ କରାଯିବା ସହ ଆନ୍ତଃଜିଲ୍ଲା ସୀମାକୁ ସିଲ କରାଯାଇଛି ।