-
ଭୁବନେଶ୍ୱରର ରେଳ ସଦନରେ ପୂର୍ବ ତଟ ରେଳପଥ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ |
-
ପାରାଦୀପ ଅଞ୍ଚଳରେ ରେଳ ଭିତ୍ତିଭୂମି ନୀରିକ୍ଷଣ କରିବା ସହିତ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି |
ଭୁବନେଶ୍ୱର. ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଭି କେ ତ୍ରିପାଠୀ ତାଙ୍କର ଓଡିଶା ଗସ୍ତ ସମୟରେ ଆଜି ପୂର୍ବାହ୍ନରେ ପାରାଦୀପ ଅଞ୍ଚଳରେ ଥିବା ରେଳ ଭିତ୍ତିଭୂମି ନିରୀକ୍ଷଣ କରିବା ସହିତ ଟ୍ରାଫିକ ସୁବିଧା ତଥା ସୁବିଧାଜନକ ଟ୍ରେନ ଚଳାଚଳ ଏବଂ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଅନୁଧ୍ୟାନ କରିଛନ୍ତି |
ସେ ମଧ୍ୟ ଏହି କ୍ଷେତ୍ରରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି | ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ (କାର୍ଯ୍ୟକାରୀ) ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଉପସ୍ଥିତ ଥିଲେ |
ଶ୍ରୀ ତ୍ରିପାଠୀ ମଧ୍ୟ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି) ର ଅଧିକାରୀ, ଜିନ୍ଦଲ ଷ୍ଟିଲ, ପିପିଏଲ, ଆଇଓସିଏଲ, ଆଇଏଫଏଫସିଓ, ମିତ୍ତଲ ଷ୍ଟିଲ ଇତ୍ୟାଦି କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବାବେଳେ ପରିବହନ ଏବଂ ଟ୍ରାଫିକ୍ ସୁବିଧା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି | ନିରୀକ୍ଷଣ ଏବଂ ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ବରିଷ୍ଠ ରେଳ ଅଧିକାରୀ ଏବଂ ବିଭିନ୍ନ ହିତାଧିକାରୀଙ୍କ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ କରିଥିଲେ |
ଅପରାହ୍ନରେ ଶ୍ରୀ ତ୍ରିପାଠୀ ପୂର୍ବ ତଟ ରେଳପଥ ମୁଖ୍ୟାଳୟରେ ରେଳପଥର ମହାପ୍ରବନ୍ଧକ ଜେନେରାଲ ମ୍ୟାନେଜର (କାର୍ଯ୍ୟକାରୀ) ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଏବଂପୂର୍ବ ତଟ ରେଳପଥର ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ ଯୋଗଦେଇଥିଲେ |
ରେଳପଥ ଅଧିକାରୀ ମାନଙ୍କ ସହିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ ଭିତ୍ତିଭୂମି ଏବଂ ଟ୍ରେନ୍ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା | ପୂର୍ବ ତଟ ରେଳପଥ ମଧ୍ୟରେ ଯାତ୍ରୀବାହୀ ଟ୍ରେନର ଗତି ବୃଦ୍ଧି କରାଇବାକୁ ଶ୍ରୀ ତ୍ରିପାଠୀ ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି | ଏହା ବ୍ୟତୀତ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ଶୀଘ୍ର ସମାପ୍ତି କରିବାକୁ କହିଥିବାବେଳେ ରାଜସ୍ୱ ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି |