
କନ୍ଧମାଳ, ବାଘ କେବଳ ଜଙ୍ଗଲରେ ନଚେତ ନନ୍ଦନକାନନରେ ଦେଖିବାକୁ ମିଳନ୍ତି । ଏବେ କିନ୍ତୁ ଠାକୁରାଣୀ ଯାତ୍ରା ଅବସରରେ ଫୁଲବାଣୀ ସହରର ବଜାରଠୁ ଆରମ୍ଭ କରି ସାହି ଗଳିକନ୍ଦିରେ ମାନସିକଧାରୀ ଭକ୍ତମାନେ ବାଘ ବେଶରେ ଦେଖିବାକୁ ମିଳିଥାନ୍ତି। ଫଳରେ ବାଘ ନାଚ ଦେଖିବା ଲାଗି ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ । ତେବେ ପିଲାମାନେ ସାହି କିମ୍ବା ଘରଦ୍ଵାରକୁ ବାଘ ବେଶ ଆସିଲେ ଭୟଭୀତ ହୋଇ କାନ୍ଦି କାନ୍ଦି ଘରେ କବାଟ ଦେଇ ରୁହନ୍ତି । ମା ମନେ ମଧ୍ୟ ବାଘ ଆସିଲାଣି କହି ଛୋଟ ପିଲାଙ୍କୁ ସହଜରେ ଖୁଆଇବା ସଂଗେ ସଂଗେ ଶୁଆଇ ଦେଉଛନ୍ତି। ବାଘ ବେଶ କେବଳ ମାନସିକଧାରୀ ମାନେ ହୁଅନ୍ତି । ବାଘ ବେଶ ପଡ଼ିବା ଏତଟା ସହଜ ନୁହେଁ। ଖର୍ଚ ମଧ୍ୟ ଅଧିକ ହୋଇଥାଏ ବୋଲି ବାଘ ବେଶ ପଡ଼ିଥିବା ହରିଜନ ସାହିର ଅନନ୍ତ ବେହେରା କହିଛନ୍ତି ।
ସେ ଏଥର ବାଘ ବେଶକୁ ମିଶାଇ ୭ଥର ବାଘ ବେଶ ପଡି ସାରିଲେଣି ବୋଲି କହିଛନ୍ତି । ଖରାରେ ବେଶ ଧାରଣ, ବାଜାର ତାଳେ ତାଳେ ନାଚି ନାଚି ସହର ସାରା ବୁଲିବା ବହୁତ କଷ୍ଟସାଧ୍ୟ ବୋଲି କହିଛନ୍ତି ଅନନ୍ତ ।
ବାଘ ବେଶ ପାଇଁ ଯାତ୍ରା ପରିଚାଳନା ନିକଟରେ ୧୩୦୦ ଟଙ୍କା ବାନ୍ଧି ପ୍ରଥମେ ରସିଦ କାଟିବାକୁ ପଡିଥାଏ । ସେହିପରି ବାଜା ପାଇଁ ଅତି କମରେ ୪ ଶହ ଟଙ୍କା, ଦେହରେ ପେଣ୍ଟିଙ୍ଗ କରିବାପାଇଁ ୨ ରୁ ୩ ହଜାର ଟଙ୍କା ଦେବାକୁ ପଡିଥାଏ। କେବଳ ସେତିକି ନୁହେଁ ସାଙ୍ଗରେ ବୁଲିବା ଲାଗି କିଛି ପିଲାଙ୍କୁ ଖାଇବା ଖର୍ଚ ସହ ହାତ ଖର୍ଚଦେଇ ନେବାକୁ ପଡିଥାଏ ।
ଏହା ସହିତ ବେଶ ପଡ଼ିବାକୁ ହେଲେ ପ୍ରଥମେ ଦେହର ଲୋମ ସଫା କରିବାକୁ ପଡିବ । ତାପର ପ୍ରଥମେ ଧଳାକଲର ଓ ପରେ ହଳଦିଆ କଲରଲଗାଇ ବାଘପରି ଚିତ୍ର କରିବାକୁ ହୋଇଥାଏ । ଶେଷରେମୁହଁରେ ବାଘମୁଖା ଲଗାଇବାକୁ ପଡିଥାଏ। ବୁଲାବୁଲି କରିବା ପରେ ଶରୀର ସଫା କରିବାପରେ ବହୁତ କଷ୍ଟ ହେଉଥିବା ଅନନ୍ତ କହିଛନ୍ତି। ତେବେ ତାଙ୍କ ମାନସିକପୁରଣ ହୋଇଥିବାରୁ ସେ ଗଲା ୭ ବର୍ଷ ହେଲା ଯାତ୍ରାରେ ନିୟମିତ ଏଭଳିବାଘ ବେଶ ଧାରଣ କରୁଥିବା କହିଛନ୍ତି। ଫଳରେ ଅନ୍ୟ ବେଶରେ ଅଧିକା ମାନସୀକଧ।ରୀ ସହରରେ ବୁଲୁଥିବା ଦେଖିବାକୁ ମିଳିଥିବାବେଳେ ବାଘ ବେଶ ଲାଗି ବହୁତ କମ ହାତ ଗଣତି ମାନସିକଧାରୀ ଦେଖାଯାନ୍ତି । ଚଳିତବର୍ଷ ଯାତ୍ରାରେ ମାତ୍ର ୧୫ ଜଣ ମାନସିକଧାରୀ ବାଘ ବେଶ ପଡିଥିବା କମିଟି ସଦସ୍ୟଙ୍କ ସୂତ୍ରରୁ ଜଣାପଡିଛି।