-
ସାରା ଦେଶର ବିଭିନ୍ନ ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମ୍ମେଳନରେ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ କେନ୍ଦ୍ର ମନ୍ତ୍ରୀ ଓ ନିର୍ବାଚନ ପ୍ରତିନିଧିଗଣ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ବରୂପ ଭାରତ ସରକାରଙ୍କ ନଅଟି ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗର ପ୍ରାୟ ୧୬ଟି ଯୋଜନା ଓ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହିତ ମତ ବିନିମୟ କରିବେ । ‘‘ଗରିବ କଲ୍ୟାଣ ସମ୍ମେଳନ’’ ନାମକ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ୩୧ ମେ, ୨୦୨୨ରେ ହିମାଚଳ ପ୍ରଦେଶର ସିମଲା ଠାରେ ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଥିବା ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ କିସାନ ସମ୍ମାନ ନିଧିର ୧୧ତମ କିସ୍ତି ଆକାରରେ ୨୧ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ଜାରି କରିବେ । ରାଜ୍ୟ ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କେଭିକେ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ସମାନ୍ତରାଳ ଭାବେ ଆୟୋଜନ କରାଯିବ । ଏହି ଉପଲକ୍ଷେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ହିତାଧିକାରୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ ।
ଦେଶବ୍ୟାପୀ ଏସବୁ ଯୋଜନାର କୋଟି କୋଟି ହିତାଧିକାରୀ ରହିଛନ୍ତି । ଦେଶର ଜନସଂଖ୍ୟାର ସବୁଠୁ ଗରିବ ବର୍ଗଙ୍କ ସବୁ ଜଟିଳ ସମସ୍ୟା ସମାଧାନ ଦିଗରେ ଏହି ଯୋଜନା ଓ କାର୍ଯ୍ୟକ୍ରମ ସବୁ ସହାୟକ ହେଉଛି । ଆବାସ, ପାନୀୟ ଜଳ ଉପଲବ୍ଧତା, ଖାଦ୍ୟ, ସ୍ବାସ୍ଥ୍ୟ ସେବା ଓ ପୋଷଣ, ଜୀବନଜୀବିକା ଏବଂ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଆଦି କ୍ଷେତ୍ରରେ ଗରିବମାନଙ୍କୁ ସହାୟତା ମିଳୁଛି । ଏହି ମତବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏସବୁ ଯୋଜନାରେ ସମନ୍ବୟର ସମ୍ଭାବନା ଉଜାଗର ହୋଇପାରିବ ଏବଂ ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ ଦିଗରେ ସହାୟତା ମିଳିବ । ଏଥିସହିତ ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନାଗରିକଙ୍କ ଆଶାଆକାଂକ୍ଷା ଜାଣିବା ଲାଗି ଏପରି କାର୍ଯ୍ୟକ୍ରମ ଏକ ସୁଯୋଗ ଆଣି ଦେବ । ଏହି ସମ୍ମେଳନକୁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଏକକ ଦେଶବ୍ୟାପୀ ମତବିନିମୟ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଛି ଯାହାକି ଦେଶର ସବୁ ଜିଲ୍ଲାରେ ଆୟୋଜନ କରାଯିବ । ଏଥିରେ ହିତାଧିକାରୀଙ୍କ ଜୀବନରେ ଏସବୁ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ଆଲୋଚନା କରିବେ ।
କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ, ରାଜ୍ୟ/ଜିଲ୍ଲା/କେଭିକେ କାର୍ଯ୍ୟକ୍ରମ ପୂର୍ବାହ୍ନ ୯.୪୫ରେ ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ଏସବୁ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହ ଯୋଡ଼ାଯିବ । ଦୂରଦର୍ଶନ ଏବଂ ଏହାର ଜାତୀୟ ଓ ଆଞ୍ଚଳିକ ଚ୍ୟାନେଲ ମାଧ୍ୟମରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ । ମାଇ ଗଭ୍ ଜରିଆରେ ଜାତୀୟ କାର୍ଯ୍ୟକ୍ରମର ୱେବକାଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଲୋକମାନେ ଆଗୁଆ ନିଜର ପଞ୍ଜୀକରଣ କରାଇବେ । ଅନ୍ୟ ସୋଶଲ ମିଡିଆ ଚ୍ୟାନେଲ ଯଥା ୟୁଟ୍ୟୁବ, ଫେସବୁକ, ଟୁଇଟ୍ଟର, ଇନଷ୍ଟାଗ୍ରାମ୍ ଆଦିରେ ଏହାକୁ ଦେଖିହେବ ।
ଏହି ମତବିନିମୟ କାର୍ଯ୍ୟକ୍ରମ ଦ୍ବାରା ନାଗରିକଙ୍କ ଜୀବନକୁ ସହଜ କରୁଥିବା ଏସବୁ ଯୋଜନାର ଜନ-କୈନ୍ଦ୍ରିକ ଦୃଷ୍ଟିକୋଣ ପ୍ରତିଫଳିତ ହେବା ସହିତ ଜନସାଧାରଣଙ୍କ ଆଶାଆକାଂକ୍ଷା ସମ୍ପର୍କରେ ସରକାର ଅବଗତ ହୋଇପାରିବେ, ଯାହାଫଳରେ ପ୍ରଗତି ଦିଗରେ ରାଷ୍ଟ୍ରର ଯାତ୍ରାରେ କେହି ଜଣେ ଯେମିତି ବଞ୍ଚିତ ରହିବେ ନାହିଁ ତାହା ସୁନିଶ୍ଚିତ ହୋଇପାରିବ ।