ଭୁବନେଶ୍ବର, ନନ୍ଦନକାନନରେ ସାପ କାମୁଡି ଦେବା କାରଣରୁ ଏକ ସିଂହୀର ମୃତ୍ୟୁ ହୋଇଥିବା ଘଟଣାରେ ନନ୍ଦନକାନନ କର୍ତୃପକ୍ଷଙ୍କ ବିରୁଦ୍ଧରେ ଥାନାରେ ଏତାଲା ଦିଆଯାଇଛି । ଏହି ମାମଲାରେ ନନ୍ଦନକାନନ କର୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ଚିକିତ୍ସାରେ ବିଳମ୍ବ କାରଣରୁ ସିଂହୀର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ଆନିମାଲ ୱେଲଫେୟାର ଟ୍ରଷ୍ଟ ଏକାର୍ମ ପକ୍ଷରୁ ଏହି ଏତାଲା ଦିଆ ଯାଇଛି ।
ଟ୍ରଷ୍ଟର ପ୍ରତିଷ୍ଠାତା ପୂରବୀ ପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସିଂହୀକୁ ସାପ କାମୁଡିବା ପରେ ନନ୍ଦନକାନନରେ ଆଣ୍ଟି ସ୍ନେକ ଭେନମ ନ ଥିବା କାରଣରୁ ତାର ଚିକିତ୍ସାରେ ବିଳମ୍ବ ଘଟିଥିଲା । ତେଣୁ ସିଂହୀର ମୃତ୍ୟୁ ଘଟିଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଏହି ମାମଲାର ତଦନ୍ତ ନନ୍ଦନକାନନ କର୍ତୃପକ୍ଷଙ୍କ ଦ୍ବାରା କରା ନ ଯାଇ ପୋଲିସ କିମ୍ବା ବନ୍ୟପ୍ରାଣୀ ସଂଗଠନ ଦ୍ୱାରା କରାଯିବା ଆବଶ୍ୟକ ।