ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପରାମର୍ଶର ଆବଶ୍ୟକତା ରହିଛି । ନିଜର ଭବିଷ୍ୟତ ପାଇଁ କଲେଜ ଛାତ୍ରଛାତ୍ରୀମାନେ ଏବେଠାରୁ ନିଜକୁ ଭଲଭାବେ ପ୍ରସ୍ତୁତ କରିବା ଉଚିତ । କେବଳ ସରକାରୀ ଚାକିରି ଉପରେ ଭରସା ନକରି ବିଭିନ୍ନ ସରକାରୀ ଯୋଜନାରେ ଆତ୍ମନିର୍ଭରଶୀଳ ହେବାକୁ ବକ୍ତାମାନେ ପରାମର୍ଶ ଦେଇଛନ୍ତି । ୟୁନିସେଫ୍ ସହଯୋଗରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ୟୁଥ୍ ହଷ୍ଟେଲରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଂଯୋଜକ ଜୟଶଙ୍କର ଯୋଶୀ ସେଥିରେ ସଭାପତିତ୍ଵ କରିଥିଲେ। ୟୁନିସେଫ୍ ଜିଲ୍ଲା ସଂଯୋଜିକା ସୁମିତାରାଣୀ ଘୋଷ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଜଗବନ୍ଧୁ ମିଶ୍ର, ଅଧ୍ୟାପକ ସୁକାନ୍ତ ମହାନ୍ତି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଏବଂ ଅଭିନନ୍ଦନିକା ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ଅତିଥ୍ ଭାବେ ଯୋଗ ଦେଇଥିଲେ।
ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, ଯୁବ କ୍ଲବ ଏବଂ ଶିକ୍ଷାନୁଷ୍ଠାନରୁ ଶତାଧୂକ ଛାତ୍ରଛାତ୍ରୀ କର୍ମଶାଳାରେ ଯୋଗ ଦେଇଥିଲେ । ଅତିଥିମାନେ କହିଲେ ଯୁବଗୋଷ୍ଠୀ ମଧ୍ୟରେ ଧର୍ଯ୍ୟ ଏବଂ ସହନଶୀଳତାର ଅଭାବ ଦେଖା ଦେଇଛି । ଶିକ୍ଷା ସମାପ୍ତ ପରେ ସରକାରୀ ଓ ବେସରକାରୀ ଚାକିରି ସମେତ କର୍ମନିଯୁକ୍ତି ପାଇଁ ଏବେ ବ୍ୟାପକ ସୁଯୋଗ ରହିଛି। ଉଚ୍ଚଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖା ଦେଇଥିବାରୁ ଛାତ୍ରଛାତ୍ରୀମାନେ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବା ଉଚିତ ।
ଏହାଛଡା ଆତ୍ମନିଯୁକ୍ତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ରହିଥିବାରୁ ତାହାର ସୁଯୋଗ ନେବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି। ବଡ଼ମଣିଷ ହେବାପରେ ନିଜ ପିତାମାତା, ଶିକ୍ଷାନୁଷ୍ଠାନ, ମାତୃଭୂମି, ମାତୃଭାଷା, ରାଜ୍ୟ ଓ ଦେଶପ୍ରତି ଆନୁଗତ୍ୟ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପରାମର୍ଶ ଦେଇଛନ୍ତି ।