-
ପ୍ରଧାନମନ୍ତ୍ରୀ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କର ଏକ ଆଲୋଚନାଚକ୍ରକୁ ସମ୍ବୋଧନ କରିବେ
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେ.ଡି.ପି. ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ । ଏହାପରେ ଉକ୍ତ ସ୍ଥାନରେ ଏକ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେବେ । ପରେ ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କୁ ନେଇ ହେବାକୁ ଥିବା ଆଲୋଚନାଚକ୍ରରେ ସମ୍ବୋଧନ କରିବେ । ଏଠାରେ ସେ କଲୋଲର ଇଫକୋଠାରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ ।
ଗୁଜରାଟର ସମବାୟ କ୍ଷେତ୍ର ସମଗ୍ର ରାଷ୍ଟ୍ର ପାଇଁ ଏକ ରୋଲ ମଡେଲ ହୋଇପାରିଛି । ରାଜ୍ୟ ସମବାୟ କ୍ଷେତ୍ରରେ ୮୪,୦୦୦ରୁ ଅଧିକ ସମିତି ରହିଛି । ଏହି ସମିତିଗୁଡ଼ିକରେ ପ୍ରାୟ ୨୩୧ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି । ରାଜ୍ୟରେ ସମବାୟ ବିପ୍ଳବକୁ ଆହୁରି ସୁଦୃଢ଼ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ, ଗାନ୍ଧିନଗରର ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସମବାୟ ସଂସ୍ଥାରୁ ୭,୦୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ ।
ଚାଷୀଙ୍କ ଉତ୍ପାଦକତା ଆହୁରି ବଢ଼ାଇବା ଏବଂ ସେମାନଙ୍କ ଆୟ ବୃଦ୍ଧି ନିମନ୍ତେ ଏକ ପଦକ୍ଷେପସ୍ୱରୂପ, ପ୍ରଧାନମନ୍ତ୍ରୀ କାଲୋଲର ଇଫକୋଠାରେ ପ୍ରାୟ ୧୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ । ନାନୋ ୟୁରିଆର ଉପଯୋଗ ଦ୍ୱାରା ଯେମିତି ଅମଳ ବୃଦ୍ଧି ପାଇବ, ତାହାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ନାନୋ ସାର କାରଖାନା ସ୍ଥାପନ କରାଯାଇଛି । ଏହି କାରଖାନା ଦିନକୁ ୫୦୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧.୫ ଲକ୍ଷ ବୋତଲ ଉତ୍ପାଦନ କରିବ ।
ପ୍ରଧାନମନ୍ତ୍ରୀ ମାତୁଶ୍ରୀ କେ.ଡି.ପି. ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ, ଯାହା କି ଶ୍ରୀ ପଟେଲ ସେବା ସମାଜ ଦ୍ୱାରା ପରିଚାଳିତ ହେଉଛି । ଏହା ଉନ୍ନତ ମାନର ମେଡିକାଲ ଉପକରଣ ଉପଲବ୍ଧ କରାଇବ ଏବଂ ଉକ୍ତ ଅଂଚଳର ଲୋକଙ୍କ ପାଇଁ ବିଶ୍ୱଶ୍ରେଣୀୟ ଚିକିତ୍ସା ସୁବିଧା ଯୋଗାଇଦେବ । ଏହାପରେ ପ୍ରଧାନମନ୍ତ୍ରୀ ଏକ ସାର୍ବଜନିନ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ।