
ଧର୍ମଶାଳା, ୯ ସେପ୍ଟେମ୍ବର(ହି.ସ.)- ଆମ ପୁଲିସ ସମିତି କାର୍ଯ୍ୟକ୍ରମରେ ପୁଲିସ ଜନସାରଣଙ୍କ ନିକଟର ହେବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଠିକ୍ ସମୟରେ ସାଧାରଣ ଲୋକେ ନ୍ୟାୟ ପାଇବା ପାଇଁ ଫାଣ୍ଡି ଓ ଥାନା ରହିଛି । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳ ଏକ ସ୍ପର୍ଶକାତର ଅଂଚଳଭାବେ ଦୀର୍ଘଦିନରୁ ପରିଚିତ । ଧର୍ମଶାଳା ଥାନା ଅଧିନରେ ଥିବା ବ୍ରହ୍ମବରଦା ଫାଣ୍ଡି,୬ଗୋଟି ପଂଚାୟତ ରସୁଲପୁର ବ୍ଳକ ଅନ୍ତର୍ଗତ ବ୍ରହ୍ମବରଦା,ମହେଶ୍ୱରପୁର ଓ ବନ୍ଧଡିହ ଓ ଧର୍ମଶାଳା ବ୍ଳକ ଅଧିନରେ ଥିବା ଯଥା ମଙ୍ଗଳପୁର,ଦେଓଦା ଓ ଅରାବଳ ପଂଚାୟତର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ କରୁଛି । ହିନ୍ଦୁ-ମୁସଲମାନ ଉଭୟ ସଂପ୍ରଦାୟର ବହୁଳ ଲୋକ ମହେଶ୍ୱରପୁର ଓ ବ୍ରହ୍ମବରଦା ପଂଚାୟତରେ ବସବାସ କରୁଛନ୍ତି । ବିଭିନ୍ନ ସମୟରେ ସାମାନ୍ୟ ଘଟଣାକୁ ନେଇ ଉଭୟ ସଂପ୍ରଦାୟ ମଧ୍ୟରେ ଉତେଜନା ସୃଷ୍ଟି ହେଲେ ଏହା ସଂପ୍ରଦାୟିକ ଦଙ୍ଗା ହେବାର ସମ୍ଭାବନା ଥିବାରୁ ଏହା ଜିଲ୍ଳା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସୃଷ୍ଟି କରି ଆସୁଛି । ଏଥି ପାଇଁ ମାସମାସ ଧରି ଗୋଟିଏ ବା ଦୁଇଟି ପ୍ଳାଟୁନ୍ ଏପିଆର ଫୋର୍ସ ଏହି ଅଂଚଳରେ ଡେରା ପକାଇ ରହିବାକୁ ପଡୁଛି । ସାମାନ୍ୟ ଉତେଜନାର ଖବର ପାଇ ଖୋଦ୍ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏହି ଅଂଚଳରେ ଉପସ୍ଥିତ ରହିବାକୁ ପଡୁଛି । ଗ୍ରାମବାସୀଙ୍କୁ (ଉଭୟ ସଂପ୍ରଦାୟର) ନେଇ ଶାନ୍ତିକମିଟି ଗଠନ କରି ପରିସ୍ଥିତିକୁ ଆୟତ କରିବାକୁ ପରିଶ୍ରମ କରିବାକୁ ପଡୁଛି ।
ଅନ୍ୟପକ୍ଷରେ ବନ୍ଧଡିହ, ଅରାବଳ ଓ ଦେଓଦା ଭଳି ପଂଚାୟତମାନଙ୍କରେ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଉତେଜନା ସୃଷ୍ଟି ହୋଇ ସମୟେ ସମୟେ ଗୁରୁତର ପରିସ୍ଥିତି ଉପୁଜୁଥିବା ଦେଖିବାକୁ ମିଳୁଛି । ଏତେ ସବୁ ଘଟଣା ଘଟିଲା ପରେ ମଧ୍ୟ ପ୍ରଶାସନର ଚେତା ପଶୁ ନାହିଁ, ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଯେପରି ଅଣଦେଖା କରାଯାଉଛି, ଏହା ଦିନେ ପରିସ୍ଥିତିକୁ ଅଣାୟତ କରିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକଟ କରିଛନ୍ତି । ବହୁ ଅଭିଯୋଗ ପରେ ଏହି ଫାଣ୍ଡିକୁ ଏକ ଜିପ୍ ର ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ଗାଡି ଖରାପ ହୋଇପଡିବାରୁ ନାଇଟ୍ ପାଟ୍ରୋଲିଂରେ ଅନେକ ଅସୁବିଧା ହେଉଛି । ଫଳରେ ରାତିରେ ଅଂଚଳରେ କିଛି ନା କିଛି ଛୋଟ ବଡ ଘଟଣାମାନ ଘଟୁଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୋଲିସ ମହାନିର୍ଦେଶକ ଓ ଜଲ୍ଳା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଳାପାଳଙ୍କୁ ବାରମ୍ବାର ଗ୍ରାମବାସୀ ପରିସ୍ଥିତି ବିଷୟରେ ଅବଗତ କରାଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଧିକ ସଂଖ୍ୟକ କର୍ମଚାରୀ ଅବା ବହ୍ମବରଦା ଫାଣ୍ଡିକୁ ଥାନାର ମାନ୍ୟତା ମିଳିପାରୁ ନାହିଁ । ଏହି ଫାଣ୍ଡିରେ ଜଣେ ମାତ୍ର ଏଏସଆଇ ଓ ଚାରି ଜଣ କନେଷ୍ଟବଳଙ୍କୁ ନେଇ କାର୍ଯ୍ୟ କରାଯାଉଛି । ଯଦି କୋର୍ଟ କଚେରୀ, ଅନୁସନ୍ଧାନ ବା ବ୍ୟକ୍ତିଗତ କାରଣରୁ ଏଏସଆଇ ବାହାରକୁ ଗଲେ ତେବେ ଏଠାରେ କେହି ନ ଥିବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ପାଇଁ, ଏଥି ସହିତ ଏଠାରେ ଜଣେ ହେଲେ ମହିଳା ଷ୍ଟାଫ୍ ମଧ୍ୟ ନାହାନ୍ତି ମହିଳା ଅଭିଯୋଗକାରୀଙ୍କ ଗୁହାରୀ ଶୁଣିବା ପାଇଁ । ଏତତ୍ ବ୍ୟତୀତ ବ୍ରହ୍ମବରଦା ଭଳି ଜନ ବହୁଳ ଅଂଚଳରେ ବିଶେଷ କରି ବ୍ୟାଙ୍କ ଛକ, ପୁରୁଣା ଫାଣ୍ଡିଛକ ଓ ତାରିଣୀ ଛକରେ ଟ୍ରାଫିକ୍ ସମସ୍ୟା ଗୁରୁତର ଅବସ୍ଥାରେ ପଂହଚିଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ୧୬ କିମି ଦୂରରେ ଥିବା ଥାନାରୁ ଖବର ପାଇ ବ୍ରହ୍ମବରଦା ଅଂଚଳରେ ପଂହଚି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା କେତେ ଦୂର ସମ୍ଭବ ତାହା ଯାଜପୁର ନୂଆ ଆରକ୍ଷୀ ଅଧିକ୍ଷକ ବିଚାର କରି ତୁରନ୍ତ ଏଠାକୁ ଅଧିକ ସଂଖ୍ୟକ ଅଫିସର, କର୍ମଚାରୀ ଓ ମହିଳା କର୍ମଚାରୀ ଯୋଗାଇଦେବାକୁ ଅଂଚଳବାସୀ ଦାବି କରିଛନ୍ତି । ଗମନାଗମନ ଓ ଜନସାଧାରଣଙ୍କ ନିକଟତର ହେବା ସମୟ ସାପେକ୍ଷ, ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅନେକ ସମୟରେ ସାମାନ୍ୟ ଘଟଣାକୁ ନେଇ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଉଛି । ଥାନା ହେଲେ ଜନସାଧାରଣ ଉପକୃତ ହେବେ ବୋଲି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ପ୍ରକାଶ କରିଛନ୍ତି । ଏହି ଫାଣ୍ଡି ପ୍ରତି ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଲେ ଏହା ଥାନାରେ ପରିଣତ ହୋଇପାରିବ ବୋଲି ଅଂଚଳବାସୀ ଆଶାବାଦୀ ଅଛନ୍ତି ।