
ଜୟପୁର, ସରକାର ଆଧୁନିକ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୫-ଟି ସ୍କୁଲ ପାଇଁ ସ୍ମାର୍ଟ କ୍ଲାସରୁମ କରିବା ପାଇଁ ବେଧଡକ ସରକାରଙ୍କ ରାଜ କୋଷରୁ ଟଙ୍କା ଖର୍ଚ୍ଚ କରାଯାଉଛି। ଏହା କେବଳ ସହରୀୟା ଅଞ୍ଚଳ ଗୁଡିକରେ କାର୍ଯ୍ୟକାରି ହୋଉଛି କିନ୍ତୁ ଉପାନ୍ତ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ ଶିକ୍ଷାର ସୁବ୍ୟବସ୍ଥା। କୋଉଠି ଭିତ୍ତିଭୂମି ର ଅଭାବ ତ କୋଉଠି ଶିକ୍ଷକଙ୍କ ଅଭାବ।
ଏ ହୋଉଛି କୋରାପୁଟ ଜିଲ୍ଲା, ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ରଣସପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ଦାନର ବ୍ୟବସ୍ଥା ରହିଛି। ମୋଟ ଛାତ୍ର ଛାତ୍ରୀ ୧୪୧ ରହିଛନ୍ତି। ସେଥି ମଧ୍ୟରୁ ୮୦ ପିଲା ଆଶ୍ରମରେ ରହିଛନ୍ତି, ଆଉ ୬୧ ଡେସକୋଲର। ଆଶ୍ରମରେ ରହୁଥିବା ଛାତ୍ର ସଂଖ୍ୟା ୪୦ ଏବଂ ଛାତ୍ରି ସଂଖ୍ୟା ୪୦।
ସବୁ ଠାରୁ ଆଶ୍ଚର୍ଯ୍ୟର ବିଷୟ ଏଠାରେ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ଅଛନ୍ତି ହେଲେ ଏହି ସମସ୍ତଙ୍କୁ ପାଠ ପଢେଇବା ପାଇଁ ଶିକ୍ଷକ ରହିଛନ୍ତି କେବଳ ଦୁଇ ଜଣ। ଜଣେ ପ୍ରଧାନ ଶିକ୍ଷକ ଅନ୍ୟ ଜଣେ ସହକର୍ମୀ ଶିକ୍ଷକ। ଯଦି ଜଣେ କୌଣସି ଅଫିସିଆଲ କାର୍ଯ୍ୟ ପାଇଁ ବାହାରକୁ ଯାନ୍ତି, ତେବେ ଏହି ଏହି ସାତ ଗୋଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଜଣେ ସମ୍ଭାଳିବାକୁ ପଡିଥାଏ, ଏଥି ନିମନ୍ତେ ନାନା ସମସ୍ୟାର ସାମ୍ନା କରିବାକୁ ପଡିଥାଏ ବୋଲି ଶିକ୍ଷକ କହିଛନ୍ତି।
ଏହି ଆଶ୍ରମ ବିଦ୍ୟାଳୟରେ ଅନ୍ତେବାସୀ କୁନି କୁନି ଛାତ୍ରୀ ମାନେ ମଧ୍ୟ ରହିଛନ୍ତି ହେଲେ ବଡ ଦୁଃଖର କଥା ଯେ ଏମାନଙ୍କର ଦେଖାରେଖା କରିବା ନିମନ୍ତେ ଶିକ୍ଷୟତ୍ରୀ ନିୟୋଜିତ କରାଯିବା କଥା କିନ୍ତୁ ବାରମ୍ବାର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ କୌଣସି ଫଳ ହଉନାହିଁ। ଅନ୍ୟ ପଟେ ଅନ୍ତେବାସି ଛାତ୍ରବାସର ଅବସ୍ଥା ଖରାପ ହୋଇପଡିଛି। କେତେବେଳ ଯେ ଛାତ ଗଳି ପଡିବ କହି ହେବନି। ଏହାର ମରାମତିର ମଧ୍ୟ ଆବଶ୍ୟକତା ରହିଛି, ଏହାର ସମାଧାନ ପାଇଁ ମଧ୍ୟ କୁହାଯାଇଛି ହେଲେ ଏହି ଗରିବ ଆଦିବାସୀଙ୍କ କଥା ଶୁଣୁଛି କିଏ। ଯଦି ଏହିଭଳି ଚାଲିବ ତେବେ ପିଲାମାନଙ୍କର ଭବିଷ୍ୟତ କିଭଳି ହେବ ଅନୁମାନ କରାଯାଇପାରୁଛି।
ଏଠି ପ୍ରଶ୍ନ ଉଠୁଛି ପ୍ରଶାସନ କେବଳ କେବଳ ୫-ଟି ସ୍କୁଲ ବିଲଡିଂ ତିଆରି କରିବାରେ ବ୍ୟସ୍ତ, କିନ୍ତୁ ଏହି ଆଦିବାସୀ ଅଧ୍ଯୁସିତ ଅଞ୍ଚଳରେ ଥିବା ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟ ଗୁଡିକ ପାଇଁ ଏତେ ପକ୍ଷପାତ କାହିଁକି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନର ବାଟ ବାହାର କରିବେ ନା ଏଭଳି ହିଁ ଶିକ୍ଷା ବ୍ୟବସ୍ଥା ଚାଲୁ ରହିବ ତାହାକୁ କେବଳ ଅପେକ୍ଷା।