ଜୟପୁର,ରାଜ୍ୟ ପରିବହନ ପ୍ରାଧିକରଣ ଓ ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ସୁନାବେଡା ସ୍ଥିତ ଏନସିଇଟ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ପରିସରରେ ଦ୍ଵିତୀୟ ପର୍ଯ୍ୟାୟ ରକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି ଓ ମୋଟର ଯାନ ନିରୀକ୍ଷକ ଚନ୍ଦ୍ରା ବିଶ୍ଵାସ ଯୋଗଦାନ କରି ରକ୍ଷକ ପ୍ରଶିକ୍ଷଣର ଆଭିମୁଖ୍ୟ, ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ, ଗୁଡ଼ ସମରିଟାନ ନୀତି, ମୋଟର ଯାନ ଆଇନର ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ତଥା ପ୍ରଶିକ୍ଷକ ଯଜ୍ଞେଶ୍ବର ପଣ୍ଡା ପ୍ରଶିକ୍ଷଣର ବିଭିନ୍ନ ଦିଗ, ପ୍ରଶିକ୍ଷଣ ଶିବିରରୁ ଶିକ୍ଷା କରିଥିବା ଜ୍ଞାନ କୌଶଳକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରି ଆହତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ମହାରଣା, ସୌମେନ୍ଦ୍ର ସ୍ଵାଇଁ,ଜ୍ୟୋତି ରଞ୍ଜନ ନନ୍ଦ ଏବଂ ଜି.ଗୌରୀ ଶଙ୍କର ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦାନ କରି ପ୍ରଶିକ୍ଷ୍ୟାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ସମୀର ରଞ୍ଜନ ରାୟ ଓ ସଞ୍ଜୟ କୁମାର ପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦୋକାନୀ, ସାଧାରଣ ଜନତା, ବ୍ୟବସାୟୀ, ଗାଡି ଚାଳକ, ହୋଟେଲ ମାଲିକ ପ୍ରଭୃତି ବ୍ୟକ୍ତି ବିଶେଷ ଫାଷ୍ଟ ରେଷ୍ପଣ୍ଡର ଭାବେ ତାଲିମ ଗ୍ରହଣ କରିଥିଲେ।