ଗଞ୍ଜାମ,ବିନା ନାମ ଫଳକରେ ଚାଲିଥିବା କ୍ଲିନିକ୍ ଉପରେ ପୋଲିସ ପକ୍ଷରୁ ଚଢ଼ଉ ଆରମ୍ଭ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଏକ ଭଡ଼ା ଘରେ ଏଭଳି ଏକ କ୍ଲିନିକ୍ ଖୋଲି ଅଲଟ୍ରାସାଉଣ୍ଡ ମେସିନ ରଖି ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗ ପାଇ ଆଜି ସକାଳ ୮ଟା ସମୟରେ ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ. ପୋଲିସ ଟିମ୍ ସହିତ ଏଠାରେ ଚଢ଼ଉ କରିଥିଲେ । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସ୍ଥିତ ଆନନ୍ଦନଗର ଅଂଚଳରେ ଏଭଳି ଏକ ବେଆଇନ କ୍ଲିନିକ୍ ଚାଲିଥିବା ନେଇ ପୋଲିସ ସୂଚନା ପାଇ ଏଠାରେ ଚଢ଼ଉ କରିଥିଲା । ସ୍ଵାସ୍ଥ୍ୟ ବିଭାଗର ବୈଷୟିକ ଟିମ୍ ମଧ୍ୟ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ ।
ଚଢ଼ଉରେ ଆଙ୍କୋଲି ଶ୍ରୀ ହରିହର ନଗର ଅଂଚଳର ଦୁର୍ଗାପ୍ରସାଦ ନାୟକ ନାମକ ଜଣେ ଯୁବକ ଏହି କ୍ଲିନିକ୍ ଖୋଲିଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।