ପୁରୀ – ସହର ଓ ରାସ୍ତା ନିର୍ମାଣ କରିବାରେ ଠିକାଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ଠିକାଦାରଙ୍କ ପାଇଁ ଅନେକ ନୂଆ ନିୟମ ଲାଗୁ କରୁଥିବାରୁ ଏଥିରେ ଠିକାଦାର ସଂଘ ଅସନ୍ତୋଷ ବ୍ୟକ୍ତ କରିଛି । ଠିକାଦାରମାନଙ୍କର ବିଭିନ୍ନ ଦାବି ସରକାର ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଓଡ଼ିଶା ଠିକାଦାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ଦାବି ନେଇ ପୁରୀ ବ୍ରହ୍ମଗିରି ଠିକାଦାର ସଂଘ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ଭେଟିଥିଲେ ।
ସେମାନଙ୍କର ଦଶ ଦଫା ଦାବି ମଧ୍ୟରେ ୨୦୧୪ ସୁଡ଼୍ୟୁଲେଟର ପୁନଃ ପ୍ରଚଳନ, ଭାରତ ସରକାରଙ୍କ ଡ଼ାଟାବୁକ ପ୍ରଚଳନ, ଓଡ଼ିଶା ସରକାରଙ୍କ ୧୪.୯୯ପ୍ରତ୍ୟାହାର, ଶ୍ରମିକ ମଜୁରୀ ନିର୍ଦ୍ଧାରଣ, ସଂଚୟପତ୍ର ମାଧ୍ୟମରେ ସିକ୍ୟୁରିଟ ପ୍ରଦାନ, ନିର୍ମାଣ ସାମଗ୍ରୀ ଅନୁମତିପତ୍ର ଓ ରୟାଲିଟି ପ୍ରତ୍ୟାହାର ସଂପର୍କରେ ବିଧାୟକଙ୍କୁ ଜଣାଇଥିଲେ । ଏ ବାବଦରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ରଂଜନ ଦାଶ, କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ଜଣାଇଛନ୍ତି । ସଭାପତି ସୁବ୍ରତ କୁମାର ମହାନ୍ତି, ଉପସଭାପତି ଅଶୋକ ମୁକାର ମିଶ୍ର, ସମ୍ପାଦକ ଲୋକନାଥ ପଣ୍ଡା ସହ ସମ୍ପାଦକ ପ୍ରତାପ କୁମାର ମହାପାତ୍ର ଓ ବିଶ୍ୱଜିତ ଛୋଟରାୟ, କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ମହାନ୍ତି, ଅଜୟ ମହାପାତ୍ର, ଭାଗିରଥୀ ମଳିକ କହିଛନ୍ତି ଆଗାମୀ ଦିନରେ ଠିକାଦାରଙ୍କ ସମସ୍ୟା ସମାଧାନ କରାନଗଲେ ରାସ୍ତା ତିଆରି କରୁଥିବା ଠିକାଦାରମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ସଂଘର ମିଡ଼ିଆ ସଂଯୋଜକ ଅସିତ କୁମାର ମେକାପ ଜଣାଇଛନ୍ତି ।