-
ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା
କେନ୍ଦୁଝର , କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ଅଂଚଳ ଝୁମ୍ପୁରା ର ମୁଖ୍ୟ ବଜାର ରାସ୍ତା ଅବରୋଧ କାରଣରୁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ବଜାରକୁ ଆସୁଥିବା ଚାଷୀ, ସାଧାରଣ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁର୍ଘଟଣା ମଧ୍ୟ ବଢି ଚାଲିଛି । ବଜାର ମଧ୍ୟ ଦେଇ ଯାଇଥିବା ପୂର୍ତ ବିଭାଗ ରାସ୍ତାର ଉଭୟ ପାଶ୍ୱର୍ ସହିତ ଆରଏମସି ମାର୍କେଟର ଗଳି ରାସ୍ତା ଗୁଡିକ ସବୁ ସମୟରେ ଦୋକାନୀ ମାନଙ୍କ ଦ୍ୱାରା ଅବରୋଧ ହୋଇ ରହୁଛି । ଏହାକୁ ନେଇ ଆରଏମସି କର୍ତୂପକ୍ଷ, ଝୁମ୍ପୁରା ତହସିଲ, ପୂର୍ତବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଫର୍ଦ୍ଧ ଲମ୍ବି ଚାଲିଥିଲେ ମଧ୍ୟ ସମାଧାନ କେବଳ ପ୍ରତିଶୃତି ସିମୀତ ରହିଯାଉଛି ।
ପ୍ରକାଶ ଥାଉକି ଯେ ଝୁମ୍ପୁରା ବଜାର ରେ ପୂର୍ତ ବିଭାଗର ରାସ୍ତାର ଉଭୟ ପାଶ୍ୱର୍ରେ ଆରଏମସି ମାର୍କେଟ ଏବଂ ଝୁମ୍ପୁରା ବସଷ୍ଟାଣ୍ଡ ର ଉଭୟ ପାଶ୍ୱର୍ରେ ଆରଏମସିର ୩୪୦ଟି ବିପଣୀ ଗୃହ ରହିଥିବା ବେଳେ ଝୁମ୍ପୁରା ଗ୍ରାମ ପଂଚାୟତର ୧୭୦ଟି ବିପଣୀ ଗୃହ ରହିଛି । ସବୁ ବିପଣୀ ଗୃହକୁ ବ୍ୟବସାୟ କରିବା ପାଇଁ ହିତାଧିକାରୀଙ୍କୁ ଭଡା ସୂତ୍ରରେ ଦିଆଯାଇଛି । ପଂଚାୟତ ଏବଂ ଆରଏମସି ବିପଣୀ ଗୃହ ଗୁଡିକରୁ ମାସିକ କେବଳ ଭଡା ଆଦାୟ କରି ଦାୟିତ୍ୱ ସାରି ଦେଉଛନ୍ତି କିନ୍ତୁ ବଜାର ସମସ୍ୟା କଥା ବୁଝୁ ନାହାଁନ୍ତି । ଅପରପକ୍ଷେ ଦୋକାନୀମାନେ ତାଙ୍କୁ ଯୋଗାଇ ଦିଆ ଯାଇଥିବା ଦୋକାନ ଗୃହ ଗୁଡିକୁ ବେଆଇନ ଭାବେ ଆଗପଛ ସଂପ୍ରସାରଣ କରିଚାଲିଛନ୍ତି । ଏପରିକି ପୂର୍ତ ବିଭାଗ ରାସ୍ତା ଉଭୟ ପାଶ୍ୱର୍ରେ ସାଧାରଣ ଯାତ୍ରୀଙ୍କ ପାଇଁ ଥିବା ପାର୍କିଂ ଓ ଯାତାୟତ ଜାଗା ଉପରେ ମୂଳ ଘର ଠାରୁ ୨୦ଫୁଟ ଲମ୍ବା ପର୍ଯ୍ୟନ୍ତ ବେନିୟମ ଭାବେ ଅଜବେଷ୍ଟସ ଓ ଟିଣ ସିଟ ସ୍ଥାୟୀ ଭାବେ ନିର୍ମାଣ କାମ କରାଯାଇଛି । ଦୋକାନ ମାନଙ୍କର ବହୁ ଜିନିଷ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଡ୍ରେନ ବାହାରକୁ ରାସ୍ତା ଉପରକୁ ବିଛାଇ ରଖାଯାଉଛି । ଜଣକୁ ଗୋଟିଏ ବିପଣୀ ଗୃହ ମିଳିଥିବା ବେଳେ, ରାସ୍ତା ଉପରେ ଜଣକା ୩ରୁ ୪ଟି ଲେଖାଏଁ ଅଲଗା ଦୋକାନ ମଧ୍ୟ ଲଗାଇ ଦେଉଛନ୍ତି, ବଜାରର ଗଳି ରାସ୍ତା ମଧ୍ୟ ଦୋକାନୀମାନଙ୍କ କବଳରୁ ବାଦ ପଡୁନାହିଁ । ବେନିୟମ ନିର୍ମାଣ ଓ ଦୋକାନ ଜିନିଷ ରାସ୍ତା ଉପରେ ରଖାଯାଉ ଥିବାରୁ ଦିନସାରା ବଜାର ଅଂଚଳରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇ ପଡୁଛି । ଗାଁରୁ ଆସୁଥିବା ଚାଷୀଟିଏ ନିଜର ଉତ୍ପାଦିତ କୃଷି ସାମଗ୍ରୀ ଧରି ବଜାରର ରାସ୍ତା କଡରେ ବସିଲେ, ଦୋକାନୀଙ୍କ ଆକ୍ରୋଶର ଶିକାର ହେଉଛି, ସାଧାରଣ ପଥଚାରୀଙ୍କ ଦୂର୍ଦ୍ଦଶା କହିଲେ ନ ସରେ ।
ଏ ନେଇ ଅଭିଯୋଗ ପରେ ପୂର୍ତ ବିଭାଗ ପକ୍ଷରୁ ଝୁମ୍ପୁରା ତହସିଲକୁ ଉଚ୍ଛେଦ ପ୍ରକ୍ରିୟା କରିବା ପାଇଁ ୩ ମାସ ପୂର୍ବରୁ ଲିଖିତ ଅନୁରୋଧ କରାଯାଇଥିଲା । ହେଲେ ପଂଚାୟତ, ଆରଏମସି ଏବଂ ତହସିଲ କାର୍ଯ୍ୟାଳୟ ମଧ୍ୟରେ ସମନ୍ନୟ ଅଭାବରୁ ଏ ପର୍ଯ୍ୟନ୍ତ ବଜାରର ବେନିୟମ ନିର୍ମାଣ ତଥା ରାସ୍ତା ଅବରୋଧ ଉପରେ ଅଙ୍କୁଶ ଲଗାଇବା ଦିଗରେ ପଦକ୍ଷେପ ନିଆଯାଇ ପାରୁନାହିଁ । ଏ ସଂପର୍କରେ ଝୁମ୍ପୁରା ତହସିଲଦାର ପ୍ରତିଭା ପୃଷ୍ଟି ବେନିୟମ ନିର୍ମାଣ ଉଚ୍ଛେଦ ଓ ରାସ୍ତା ଅବରୋଧ ବିରୁଦ୍ଧରେ ଖୁବ ଶିଘ୍ର ନୋଟିସ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।