ଭୁବନେଶ୍ୱର, ଆଧୁନିକ ସଭ୍ୟତାରେ ବିଦ୍ୟୁତ ଶକ୍ତିର ବିନା ବିନିଯୋଗରେ କୌଣସି ଅର୍ଥନୀତି ସୁଦୃଢ ହୋଇପାରିବ ନାହିଁ । ମାର୍ଚ୍ଚ ଶେଷ ସୁଦ୍ଧା ୧୬୮ ମିଲିୟନ ଟନର କୋଇଲା ଉତ୍ପାଦନ କରି ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ଖଣି ଠାରୁ ପାଣି, ଚିଟଫଣ୍ଡ୍ଠାରୁ ବିଦ୍ୟୁତ ଦୁର୍ନୀତିରେ ରାଜ୍ୟ ସରକାର ସିଧ୍ୟହସ୍ତ ହାସଲ କରିଛନ୍ତି । ଓଡ଼ିଶାର ସବୁଠାରୁ ବଡ଼ ଦୁର୍ନୀତି ହେଉଛି ବିଦ୍ୟୁତ୍ । ବିଦ୍ୟୁତ୍ ସଂସ୍କାର ଆଣିବାରେ ଓଡିଶା ପ୍ରଥମ ରାଜ୍ୟ ହୋଇଥିବାବେଳେ ଆଜି ସଂସ୍କାର ନାମରେ କୋଟି କୋଟି ଟଙ୍କା ଉପଭୋକ୍ତାଙ୍କଠାରୁ ଲୁଟ୍ କରାଯାଉଛି । ଓଡ଼ଶା କୋଇଲା ଉତ୍ପାଦନରେ ଏକ ନମ୍ବର ରାଜ୍ୟ ହୋଇ ମଧ୍ୟ ଗ୍ରାହକମାନେ ବିଦ୍ୟୁତ ପାଇବାରୁ ବଂଚିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶାରରୁ ଜମି, କୋଇଲା, ପାଣି ନେବା ସହ ଓଡ଼ିଶାକୁ ପ୍ରଦୂଷିତ ମଧ୍ୟ କରାଯାଉଛିି । ବିଭିନ୍ନ କମ୍ପାନୀମାନେ ଓଡ଼ିଶାରୁ ସବୁ ସଂପଦ ନେଇ ମଧ୍ୟ ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଉନାହାନ୍ତି । ଚଳିତ ଶତାବ୍ଦୀର ସବୁଠୁ ବଡ ଦୁର୍ନୀତି ହେଉଛି ବିଜୁଳି ଦୁର୍ନୀତି ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୯୯୯ରେ ନବୀନ ବାବୁ କ୍ଷମତାକୁ ଆସିବାଠାରୁ ଆଜି ପର୍ଯ୍ୟନ୍ତ ସାଧାରଣ ଗ୍ରାହକଙ୍କ ପାଇଁ ୧୩୭% ବିଦ୍ୟୁତ ଶୁଳ୍କ ବୃଦ୍ଧି ଘଟିଛି । ୧୯୯୯-୨୦୦୦ ମସିହାରେ ୫୦ୟୁନିଟ୍ ପର୍ଯ୍ୟନ୍ତ ଲୋକେ ୧ଟଙ୍କା ୨୦ପଇସା କିନ୍ତୁ ୨୦୨୨ବେଳକୁ ୩ଟଙ୍କା ୟୁନିଟ୍ ପ୍ରତି ଦେଉଛନ୍ତି । ସେହିପରି ୪୦୦ ୟୁନିଟ୍ରୁ ଅଧିକ ବ୍ୟବହାର କଲେ ୨ଟଙ୍କା ୮୦ ପଇସାରୁ ବୃଦ୍ଧି ପାଇଁ ୬ଟଙ୍କା ୨୦ପଇସାରେ ପହଚିଂଲାଣି । କ୍ଷୁଦ୍ର ଓ ଅଣୁ ସଂସ୍ଥାଗୁଡ଼ିକ ଉପରେ ୧୧୧%, ଶିଳ୍ପରେ ୧୦୬% ବୃଦ୍ଧି ଘଟିଛି । ଗତ ୧୦ବର୍ଷ ଭିତରେ ଓଡ଼ିଶା ବିଦ୍ୟୁତ ବଂଟନ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଖର୍ଚ୍ଚ ହୋଇଥିବା ୨୦ହଜାର କୋଟି ସଠିକ ଭାବେ ବ୍ୟୟ ହୋଇନାହିଁ । ମାତ୍ର ୭୦୦ କୋଟି ଟଙ୍କାରେ ୫୧ ପ୍ରତିଶତ ମାଲିକାନା ହୋଇଛି ଟାଟା ପାୱାର । ସିଏଜି ଏହି ପୁଞ୍ଜିବ୍ୟୟ ଉପରେ ଆପତି ଆଣିଛି । ବିଦ୍ୟୁତ ଶୁଳ୍କରେ ଅନିୟମିତତା ଏବଂ ଜାଣିଶୁଣି ନିଅଂଟିଆ ପରିସସ୍ଥିତି ସୃଷ୍ଟି କରାଯାଇ ଅଘୋଷିତ ବିଦ୍ୟୁତ କାଟ୍ କରାଯାଉଛି ।
ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ସଚିବ ଶକ୍ତି ବିଭାଗରୁ ଡେପୁଟେସନରେ ନିଯୁକ୍ତ ଅଛନ୍ତି । ଅନ୍ୟ ପକ୍ଷରେ ବାହାର ରାଜ୍ୟମାନଙ୍କରେ ଆଇଏଏସ୍ ଅଫସରମାନେ ଏହି ପଦବୀରେ କାର୍ଯ୍ୟ କରିଥାନ୍ତି । ୧୯୯୭ମସିହାରେ ଏହି ଆୟୋଗର ଚାକିରି ସଂସ୍ଥାବଳୀ ଅନୁଯାୟୀ ଆୟୋଗରେ ୨୭ଟି ପଦବୀ ରଖାଯାଇଥିଲା । ଏବେ ଗ୍ରାହକଙ୍କ ସଂଖ୍ୟା ୧୦ଗୁଣ ବୃଦ୍ଧି ଘଟିଛି କିନ୍ତୁ ପଦବୀ ସଂଖ୍ୟା ୨୭ରୁ ୧୩କୁ ଖସିଛି ।
ବିଜୁଳି ବିଲ୍ରେ ୩ଟି ସ୍ଲାବ ଥାଏ ଏବଂ ପ୍ରତ୍ୟେକ ସ୍ଲାବ ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ ହୋଇଛି । ଗ୍ରାହକମାନେ ମାସିକିଆ ବଦଳରେ ୨୫-୨୭ ଦିନିଆ ହିସାବରେ ବିଲ୍ ପାଉଛନ୍ତି । ଫଳରେ ଉଚ୍ଚତର ସ୍ଲାବରେ ଦେୟ ପୈଠ କରି ପ୍ରତି ଗ୍ରାହକ ପ୍ରାୟ ମାସିକ ପାଖାପାଖି ୪୨ଟଙ୍କାର କ୍ଷତି ସହୁଛନ୍ତି । ୯୫ଲକ୍ଷ ଗ୍ରାହକଙ୍କୁ ହିସାବକୁ ନେଲେ ମାସିକ ଏବାବଦରେ ହାରାହାରି ୪୦କୋଟି ଟଙ୍କାର ହରିଲୁଟ୍ ହେଉଛି ।
୨୦୨୧ ମସିହା ଏପ୍ରିଲ ତୁଳନାରେ ୨୦୨୨ ଏପ୍ରିଲରେ ହୀରାକୁଦ, ରେଙ୍ଗାଳୀ, ଅପରକୋଲାଭରେ ଜଳସ୍ତର ବୃଦ୍ଧି ପାଇଥିଲା । ବାଲିମେଳା, ଇନ୍ଦିରାବତୀ ଓ ମାଛକୁଣ୍ଡରେ ଜଳପତନ ସାମାନ୍ୟ ହ୍ରାସ ପାଇଥିଲା । ଅଥଚ ରାଜ୍ୟର ଜଳ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୦୯୯.୫ ମେଗାୱାଟର ମାତ୍ର ୩୩% ବିଜୁଳି ଉତ୍ପାଦନ ହେଲା । ସେହିପରି ତାପଜ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୨ଶହ ମେଗାୱାଟ ଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୪୧% ବା ୯୦୩.୮୦ମେଗାୱାଟ । ଖରା ସମୟରେ ବିଦ୍ୟୁତ ଚାହିଦା ଅଧିକ ଥିବାବେଳେ ଓପିଜିସି ଇବ୍ ତାପଜ ବିଦ୍ୟୁତ କେନ୍ଦ୍ର ଷ୍ଟେଜ-୨ର ମରାମତି ଆଳରେ ୬୬୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ବନ୍ଦ କରିଦିଆଯାଇଛି ।
ଜନସାଧାରଣଙ୍କଠାରୁ ବର୍ଷ ବର୍ଷ ଲୁଟ କରାଯାଇଥିବା ଅର୍ଥକୁ ଫେରସ୍ତ ଦେବାକୁ ଦାବୀ ଜଣାଇବା ସହିତ ରାଜ୍ୟ ସରକାର ବିଦ୍ୟୁତ ସଂସ୍କାରକୁ ଠିକଣାଭାବେ କାର୍ଯ୍ୟକାରୀ କରି ଜନସାଧାରଣଙ୍କୁ ସୁଲଭ, ନିରବଚ୍ଛିନ. ଉଚ୍ଚ ଗୁଣାତ୍ମକ ବିଦ୍ୟୁତ ଯୋଗାଇ ଦେବାକୁ ବିଜେପି ଦାବୀ କରୁଛି । ନଚେତ ରାଜ୍ୟସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ବ୍ୟାପକ ଗଣଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି ।
ଏହି ଅବସରରେ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।