-
ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ
-
ଅର୍ଥ ବିଭାଗ, ପୂର୍ତ, ବାଣିଜ୍ୟ ଓ ପରିବହନ ବିଭାଗ ସାମିଲ, ସମୁଦାୟ ୩୧ ବିଭାଗ ହେଲେ ସାମିଲ
-
ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେଇଛି ମୋ ସରକାର – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,, ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଉପକ୍ରମ ଉପରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଶାସନରେ ଏହି ରୂପାନ୍ତର ପାଇଁ, ଯେଉଁଥିରେ ସରକାର ସବୁଠାରୁ ଶେଷ ଧାଡିରେ ଥିବା ଲୋକ ପାଖରେ ପହଞ୍ଚି ପାରୁଥିବେ ଏବଂ ଆବଶ୍ୟକତା ଥିବା ସବୁ ଲୋକଙ୍କୁ ସେବା ଯୋଗାଇ ପାରୁଥିବେ; ସେଥିପାଇଁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସଂପୂର୍ଣ୍ଣ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଥିଲା । ଏ ଦିଗରେ ନିୟମିତ ଉଦ୍ୟମ ଆଜି ସଫଳ ହୋଇଛି ।
ତୃଣମୂଳ ସ୍ତରରୁ ଯେଉଁ ଫିଡବ୍ୟାକ ମିଳୁଛି, ତାହା ଉତ୍ସାହଜନକ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ “ମୁଁ ଯେଉଁ ମତାମତ ପାଉଛି, ସେଥିରୁ ଜଣାଯାଉଛି ଯେ କର୍ମଚାରୀଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହେଉଛନ୍ତି । ଖୁସିର କଥା, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନାଗରିକ ମାନଙ୍କୁ ସେବା ପ୍ରଦାନ କରିବା ସମୟରେ ବର୍ତ୍ତମାନ ଅଧିକ ଦାୟିତ୍ୱସଂପନ୍ନ ଓ ସହୃଦୟତାର ସହ ବ୍ୟବହାର କରୁଛନ୍ତି ।” ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଶାସନିକ ପ୍ରକ୍ରିୟା ଏବେ ଅଧିକ ସହଭାଗୀତାଭିତ୍ତିକ ହୋଇପାରିଛି ଏବଂ ଏହି ପ୍ରକ୍ରିୟା ମଧ୍ୟରେ ନାଗରିକ ମାନେ ସରକାରୀ କାର୍ଯ୍ୟକ୍ରମ ଗୁଡିକର ଅଂଶୀଦାର ମଧ୍ୟ ହୋଇପାରିଛନ୍ତି । ଏ ଦିଗରେ ନିରନ୍ତର ପ୍ରୟାସ ଦ୍ୱାରା ଏକ ସମତା ଓ ନ୍ୟାୟଭିତ୍ତିକ ଅନ୍ତର୍ଭୁକ୍ତି ସମାଜ ଗଠନ ହୋଇପାରିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ପୁଣିଥରେ କହୁଛି ଯେ ନାଗରିକ ମାନଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା । ଆମ ସମସ୍ତଙ୍କୁ ନିରନ୍ତର ଉନ୍ନତି କରିବାର ଏବଂ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି । ବିଭାଗ ଗୁଡିକର ଭୂମିକା ଲୋକଙ୍କ ମତାମତ ସଂଗ୍ରହ କରିବାରେ ଶେଷ ହୋଇଯିବା ଉଚିତ ନୁହେଁ, ବରଂ ଏଥିରେ ଯେଉଁ ସମସ୍ୟା ଅଛି, ସେଗୁଡିକ ସମାଧାନ କରିବା ପାଇଁ ପଦକ୍ଷେପ ନେବା ମଧ୍ୟ ଜରୁରୀ । ଯେଉଁ କର୍ମଚାରୀମାନେ ଲୋକଙ୍କ ସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କୁ ବିଭାଗ ଗୁଡିକ ସେମାନଙ୍କୁ ମାନ୍ୟତା ଦେବାର ଆବଶ୍ୟକତା ମଧ୍ୟ ରହିଛି ।”
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅର୍ଥ, ପୂର୍ତ ଏବଂ ବାଣିଜ୍ୟ ଓ ପରିବହନ, ଏହି ୩ଟି ବିଭାଗକୁ ମୋ ସରକାରରେ ସାମିଲ ହେବା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ବୈଠକରେ ୬ଟି ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା ହୋଇଥିଲା । ଏଗୁଡିକ ହେଲା ଗୃହ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜଳସଂପଦ ବିଭାଗ ।
ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ଏହା ଲୋକଙ୍କ ଠାରୁ ଫିଡବ୍ୟାକ ଗ୍ରହଣ କରିବାର ସବୁଠାରୁ ବଡ କାର୍ଯ୍ୟକ୍ରମ । ଏଥିରେ ପ୍ରାୟତଃ ସବୁ ବିଭାଗ ସାମିଲ ହୋଇଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ନିୟମିତ ଭାବେ ତଦାରଖ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ ।
ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଲେ ଯେ ଅଧିକାଂଶ ବିଭାଗର ଫିଡବ୍ୟାକ ବ୍ୟବସ୍ଥା ବହୁତ ଉନ୍ନତ ମାନର ଅଛି । ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବାରେ ବିଭାଗମାନେ ତତ୍ପରତା ଦେଖାଇବା ସହ ଭୁଲ କରୁଥିବା କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ । ଏହି ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ଏକ ଉପସ୍ଥାପନ ରଖି କହିଲେ ଯେ ରାଜ୍ୟର ୨୮ଟି ବିଭାଗର ୨୩୩ଟି ସେବା ମୋ ସରକାରରେ ସାମିଲ ହୋଇଛି । ଆଜିର ଏହି ୩ଟି ବିଭାଗକୁ ମିଶାଇ ୩୧ଟି ବିଭାଗର ୨୫୦ଟି ସେବା ସାମିଲ ହେଲା ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପ୍ରମୁଖ ସଚିବ, ଜ଼ିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତ ବିଭାଗ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ଦୁଇ ଦଶକ ମଧ୍ୟରେ ଓଡିଶାରେ ବ୍ୟାପକ ବିକାଶ ହୋଇଛି ଓ ଓଡିଶା ଅନେକ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିଛି । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି ମୋ ସରକାର ।