ହରିଚନ୍ଦନପୁର – ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିଲା ୧୪ ଚକିଆ ଟ୍ରକ । ଫଳରେ ଚାଳକ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪ ପରିବାର । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଓଡି ୦୪ ଏବଂ ୭୫୪୭ ନମ୍ବର ବିଶିଷ୍ଟ ଏହି ଟ୍ରକ୍ ପାରାଦୀପ ଠାରୁ ଲୁହାପଥର ବୋଝେଇ ନିମନ୍ତେ କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ଚାଳକଙ୍କ ଆଖି ଲାଗିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୨ଟା ସମୟରେ ପିଟାପିଟି ଗ୍ରାମ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରକ୍ ଟି ରାସ୍ତା କଡ଼ର ଡ୍ରେନକୁ ଡେଇଁ ଏସଆର ପାଇପକୁ ଧକ୍କା ଦେବା ସହ ଏକ ଗଛରେ ପିଟିଥିଲା । ଫଳରେ ଚାଳକ ଜଣକ ଗାଡି ମଧ୍ୟରେ ଚାପି ହୋଇ ରହିଯାଇଥିଲେ । ଧକ୍କାର ଶବ୍ଦ ଶୁଣି ଗ୍ରାମର ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ କଟର ମେସିନ ଦ୍ବାରା କାଟି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉକ୍ତ ଗାଡ଼ିଟି ପାରାଦୀପ ଅଞ୍ଚଳର ପଦ୍ମ ଚରଣ ସେଠୀଙ୍କର ହୋଇଥିବା ବେଳେ ଚାଳକ ଜଣକ ଢେଙ୍କାନାଳ ଜିଲ୍ଲା ଧପୁର ଥାନା ବେଗୁନିଆପାଳ ଗ୍ରାମର ଲୋକନାଥ ମୁଦୁଲି ବୋଲି ଜଣାପଡିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ରାସ୍ତାରେ ଭାରିଯାନ ଚଳାଚଳକୁ ସରକାରୀ ସ୍ତରରେ ରୋକ୍ ଲଗାଯାଇଥିବା ବେଳେ କିପରି ଏହି ରାସ୍ତାରେ ଭାରିଯାନ ଚଳାଚଳ ବୃଦ୍ଧି ପାଉଛି । ତାହାକୁ ନେଇ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏଥିଲାଗି ହରିଚନ୍ଦନପୁର ଅଞ୍ଚଳବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଦେଖିବାକୁ ମିଳୁଛି ।