ବଲାଙ୍ଗିର,କଠିନ ପରିଶ୍ରମ କରୁଛନ୍ତି ଚାଷୀ, କିନ୍ତୁ ଫଳ ମିଳୁନି । କେତେବେଳେ ପ୍ରକୃତିର ଦାଉ ତ ଆଉ କେବେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ପିଆଜ ଚାଷୀ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ପ୍ରାୟ ପାଞ୍ଚ ଶହ ଏକର ଜମିରେ ପିଆଜ ଚାଷ ହେଉଛି, କିନ୍ତୁ ଠିକ ସମୟରେ ସରକାରୀ ଯୋଜନାରେ ଚାଷୀଙ୍କୁ ମିଳୁନି ବିହନ କି ସାର। ଏପରିକି ଅଞ୍ଚଳରେ ପିଆଜ ଘର ନଥିବାରୁ ଅଭାବୀ ବିକ୍ରିର ଶିକାର ହୋଇ କମ ଦରରେ ବିକ୍ରି କରୁଛି ପିଆଜ ଚାଷୀ। ପିଆଜ ଘର ପାଇଁ ବାରମ୍ବାର ଦାବି ହେଉଥିଲେ ବି ଫଳ ଶୂନ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ପିଆଜ ଚାଷ ହୋଇଥାଏ। ତୁରେକେଲା, ଅଲଣ୍ଡା, ଯାମଖୁଣ୍ଟା, ଝଲପ, ପୁଡାପାଲି, ଭୁଷଲାଡ଼, କପିଲାଭଟା ଓ ଆଖ ପାଖ ଗାଁର ୨୦୦ ଏକର ଚାଷ ଜମିରେ ପିଆଜ ଚାଷ ହୋଇଥାଏ। ମୂଖ୍ୟତଃ ଚାଷ କାର୍ଯ୍ୟ ହିଁ ଏହି ଅଞ୍ଚଳର ଲୋକଙ୍କ ମୁଖ୍ୟ ବେଉସା। ପ୍ରାୟ ଛଅ ମାସର ପରିଶ୍ରମ କରି ଏପ୍ରିଲ ମାସରେ ପିଆଜ ଚାଷ ଅମଳ ହୁଏ। ହେଲେ ଏତେ ପରିଶ୍ରମର ଲାଭ କିଛି ନାହିଁ । କାରଣ ପିଆଜ କିଲୋ ଏବେ ପାଞ୍ଚ ଟଙ୍କା।
ପିଆଜ ରଖିବା ପାଇଁ ଚାଷୀଙ୍କ ଘରେ ଜାଗା ନାହିଁ। ଯାହା ଫଳରେ ବାଧ୍ୟ ହୋଇ ସେମାନେ କିଲୋ ପିଛା ପାଞ୍ଚରୁ ଦଶ ଟଙ୍କା ଭିତରେ ବିକ୍ରି କରିଦେଉଛନ୍ତି। ଚାଷୀଙ୍କ ଅଭିଯୋଗ ସରକାରଙ୍କ ତରଫରୁ ଠିକ ସମୟରେ ଓ ସରକାରୀ ମୂଲ୍ୟରେ ବିହନ, ସାର ମିଳୁନାହିଁ। ପୂରା ପରିବାରର ଛଅ ମାସ ଧରି ପରିଶ୍ରମ କରି ଚାଷ କରୁଥିଲେ ବି ଲାଭ ମିଳୁନି। ଏପରିକି ପିଆଜ ଘର ପାଇଁ ଦୀର୍ଘ ବର୍ଷରୁ ଚାଷୀ ଦାବି କରୁଥିଲେ ବି ଫଳ ଶୁନ।
ସେପଟେ ଆଗାମୀ ଦିନରେ ଅଞ୍ଚଳରେ ପିଆଜ ଘର ଦାବି କରିଛନ୍ତି ଚାଷୀ। ନଚେତ ଚାଷୀଙ୍କ ଦାବି ପୂରଣ ନହେଲେ ଚାଷ କାମ ଛାଡି ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ଚେତାବନୀ ଦେଇଛନ୍ତି ପିଆଜ ଚାଷୀ।
ସେପଟେ ଏହି ବିଷୟରେ ବଙ୍ଗୋମୁଣ୍ଡା ବ୍ଲକର ସହକାରୀ ଉଦ୍ୟାନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ପିଆଜ ଘର ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ।