ସାଲେପୁର, ଶିଶୁ ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଇବା ଏକ ଦଣ୍ଡନିୟ ଅପରାଧ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବହୁ ଲାଭଖୋର ମାଲିକ କମ୍ ଅର୍ଥରେ ନିଜର ଫାଇଦା ଉଠାଇବା ପାଇଁ ଶିଶୁମାନଙ୍କୁ ଆଣି ଶ୍ରମିକ ଭାବେ କାମ କରାଉଛନ୍ତି । ଏଭଳି ମାଲିକଙ୍କ ବିରୁଦ୍ଧରେ ବିଭିନ୍ନ ଦଣ୍ଡବିଧାନ କରାଯିବା ତଥା ଧରାପଡିଲେ ଛଅ ମାସରୁ ଦୁଇ ବର୍ଷ କାରାଦଣ୍ଡ କିମ୍ବା ୨୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଧାରାରେ ଆଇନ ମଧ୍ୟ ଲାଗୁ କରାଯାଇଛି । ନିୟମ କାନୁନ ଜାଣିଥିଲେ ବି ନିଶ୍ଚିନ୍ତକୋଇଲି ବ୍ଳକ ବଡକ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ସୌଭାଗ୍ୟ ରଞ୍ଜନ ସ୍ଵାଇଁ ଓ ପ୍ରମୋଦ କୁମାର ସ୍ଵାଇଁ କେନ୍ଦୁଝର ଜିଲ୍ଲାରୁ ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଆଣି ତାଙ୍କର ମାଛ ଚାଷ କାର୍ଯ୍ୟରେ ନିୟୋଜିତ କରିଥିଲେ । ଏହି ଦୁଇ ମାଲିକ ମାଛ ଗାଡିଆ ଓ କିଛି ଚାଷ ଜମି ନିଲାମ ସୂତ୍ରରେ ଆଣି ସେଥିରେ ଚାଷ ବାସ କରୁଥିବାରୁ ଏହି କାର୍ଯ୍ୟରେ ସେମାନଙ୍କୁ ଲଗାଇଥିଲେ । ୧୪ ବର୍ଷରୁ କମ୍ ଶିଶୁମାନଙ୍କୁ ମାଛ ଚାଷ କାର୍ଯ୍ୟରେ ନିୟୋଜିତ କଲେ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ନିୟମ ରହିଛି । ଏ ସଂକ୍ରାନ୍ତରେ ମୋବାଇଲ ଯୋଗେ ପ୍ରଭାଗ୍ୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟର ଗ୍ରାମୀଣ ଶ୍ରମନିରୀକ୍ଷକ ସୁଶ୍ରି ସଂଗୀତା ସ୍ଵାଇଁଙ୍କଠାରେ କେହି ବ୍ୟକ୍ତି ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ନିଶ୍ଚିନ୍ତକୋଇଲି ପୋଲିସ ସହାୟତାରେ ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି, ଜିଲ୍ଲା ସଂଯୋଜକ ନାରାୟଣ ଶୁକ୍ଳା ସଦଳବଳେ ଗୋପପୁର ଗ୍ରାମରେ ପହଞ୍ଚି ୧୧ ଓ ୧୩ ବର୍ଷର ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଏହି ଦୁଇ ଶିଶୁ ଶ୍ରମିକ ୫ମ ଓ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଅଧ୍ୟୟନ କରି ଆଉ ପାଠ ନପଢି ମାସିକ ୫ ହଜାର ଟଙ୍କା ବେତନରେ ଜନୈକ ଦଲାଲଙ୍କ ଜରିଆରେ କାମ କରିବା ପାଇଁ ଆସିଥିଲେ । ଏହି ଦୁଇ ଶ୍ରମିକଙ୍କୁ ବସୁନ୍ଧରାରେ ଛଡା ଯାଇଥିଲା ବେଳେ କାଲି ସେମାନଙ୍କୁ ପଚରାଉଚରା କରାଯିବା ପରେ ଆଇନ ଅନୁଯାୟୀ ଦୁଇ ମାଲିକଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।
Related Stories
November 22, 2024