ସାଲେପୁର, ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଅଂଚଳରେ ଏବେ ଯୋଗାଣ ବିଭାଗ ଦିଗହରା ହୋଇପଡିଥିଲା ବେଳେ ବିଭାଗର ନିୟମକୁ ନେଇ କେତେକ ଡିଲର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଉ କେତେକ ଡିଲରଙ୍କ ପାଇଁ ଏହି ନିୟମ ଲେଉଟିଆ କିଆରୀରେ ପରିଣତ ହୋଇଛି । ଜନୈକ ଡିଲର ନିଜର ନାମ ଗୋପନରଖି ପ୍ରକାଶ କରିଛନ୍ତି ଯେ, ମାହାଙ୍ଗା ଅଂଚଳରେ ୧ ଟଙ୍କିଆ ଚାଉଳ ସହିତ ତିନିମାସ ପାଇଁ ରିଲିଫ୍ ସାମଗ୍ରୀ ସରକାର ଯୋଗାଇ ଦେଇଛନ୍ତି । ତିନିମାସିଆ ଟଙ୍କିକିଆ ଚାଉଳ ମିଳିଛି । ହେଲେ ଗହମ ମିଳିଲା ନାହିଁ । ସେହିପରି ତିନିମାସ ପାଇଁ ରିଲିଫ୍ ଚାଉଳ ମିଳିଥିବା ବେଳେ ଏକ ମାସର ଗହମ ମିଳିଛି । ତେବେ ରିଲିଫ୍ ସାମଗ୍ରୀକୁ ଡିଲର ମାନେ କିଭଳି ବାଣ୍ଟିବେ , ଖାଉଟିଙ୍କୁ କିଭଳି ବୁଝାଇବେ । ଯାହା ଏବେ ସମସ୍ୟା ସୃଷ୍ଟି ହୋଇଛି । ଅପରପକ୍ଷରେ ୱାନ୍ ନେସନ୍ ୱାନ୍ କାର୍ଡ ମାହାଙ୍ଗା ଅଂଚଳରେ ଭେଳିକି ପାଲଟିଛି । ଯୋଗାଣ ବିଭାଗ ଶତକଡା ୮୦ ଓ ୨୦ ଭାଗ କଣ୍ଟ୍ରୋଲ ସାମଗ୍ରୀ ଡିଲରଙ୍କୁ ପ୍ରଦାନ କରୁଥିବା ନିୟମ ଯୋଗୁ ମାହାଙ୍ଗା ଅଂଚଳରେ ଠିକ୍ ଭାବେ ବଣ୍ଟନ କରାଯାଇପାରୁନାହିଁ । ଏହାର ଫାଇଦା କେତେକ ଡିଲର ଉଠାଉଛନ୍ତି । ସାଧାରଣ ନିରକ୍ଷର ଲୋକଙ୍କଠାରେ ଆଙ୍ଗୁଳି ଛାପ ଓ ଆଖିର ଫଟୋ ନେଇ ହିତାଧିକାରୀମାନଙ୍କୁ ଭୂତାଉଛନ୍ତି । ଆଜି କାଲି ଆସ କହି ଠିକ୍ ସମୟରେ କଣ୍ଟ୍ରୋଲ ସାମଗ୍ରୀ ପ୍ରଦାନ କରୁନାହାଁନ୍ତି । ଏପରିକି ଗୋଟିଏ ଗୋଟିଏ ମାସର କଣ୍ଟ୍ରୋଲ ସାମଗ୍ରୀ ହେରଫେର ହୋଇଯାଉଥିବା ଅଭିଯୋଗ ଚର୍ଚ୍ଚା ହେଉଛି । ମାହାଙ୍ଗା ବ୍ଲକର ଯୋଗାଣ ଅଧିକାରୀଙ୍କ ଅପାରଗତା ପାଇଁ ବହୁ ହିତାଧିକାରୀ ସମସ୍ୟା ଭୋଗୁଛନ୍ତି । ଏପରିକି ସମଗ୍ର ଓଡିଶାରେ ଯୋଗାଣ ବିଭାଗର ୱେବସାଇଟ ଖୋଲା ରହୁଥିଲା ବେଳେ ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକର ୱେବ୍ ସାଇଡ୍ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଅଭିଯୋଗ ହେଉଛି । ଯାହାଫଳରେ ରାସନକାର୍ଡରେ ନୂତନ ନାମ ପଞ୍ଜିକରଣ ଓ ନୂତନ ରାସନକାର୍ଡ ପ୍ରଦାନ କରାଯାଇପାରୁନାହିଁ । ମାହାଙ୍ଗା ଅଂଚଳରେ ଅଧିକ ହିତାଧିକାରୀ ଖାଉଟି କାର୍ଡ ହାତେଇଥିବା ଚର୍ଚ୍ଚା ହେଉଛି ହେଲେ ଅଯୋଗ୍ୟ ହିତାଧିକାରୀମାନଙ୍କ ରାସନକାର୍ଡ କାହିଁକି କଟୁ ନାହିଁ । ସେଥିପାଇଁ ଦାୟୀ କିଏ ? ଏପରିକି ବହୁ ପଞ୍ଚାୟତରେ ହିତାଧିକାରୀଙ୍କ ନାମ ରାସନକାର୍ଡରୁ ଆପେ ଆପେ କଟି ଯାଉଛି । ଅଭିଯୋଗ କଲେ ମଧ୍ୟ ରାସନକାର୍ଡରେ ନାମ ସଂଯୋଗ କରାଯାଉନାହିଁ । ରାସନକାର୍ଡ ପାଇଁ ହିତାଧିକାରୀମାନଙ୍କୁ କୋର୍ଟର ଦ୍ଵାରସ୍ଥ ହେବା ମାହାଙ୍ଗା ଅଂଚଳରେ ଦେଖିବାକୁ ମିଳିଛି । ତଥାପି ବି ସେମାନଙ୍କୁ ନ୍ୟାୟ ମିଳୁନି । ଏଣୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ମାହାଙ୍ଗା ଅଂଚଳରେ ଯୋଗାଣ ବିଭାଗର ଅନିୟମିତତା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
Related Stories
November 23, 2024