ପଟ୍ଟାମୁଣ୍ଡାଇ, ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଜୁନ ୧୯ ଓ ୨୬ ତାରିଖରେ ରାଜ୍ୟରେ ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନ ହେବ । ଏହି କ୍ରମରେ ଜୁନ୍ ୧୯ରେ ଅଳଭା ସେବା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଭୋଟର ତାଲିକା ପ୍ରକାଶ ପାଇଛି । ଅଳଭା ପ୍ରାଥମିକ ସେବା ସମବାୟ ସମିତିରେ ମୋଟ ୨୧୬୭ ଜଣ ସଭ୍ୟ ଥିବା ବେଳେ କେବଳ ୧୩୧ ଜଣ ଭୋଟ ଦେଇପାରିବେ ବୋଲି ଜଣାପଡିଛି । ଏହି ସମିତି ଅଧୀନ ମୋଟ ୧୫ ଟି ଜୋନ୍ ପାଇଁ ହେବାକୁ ଥିବା ନିର୍ବାଚନରେ ପଛୁଆବର୍ଗ ପାଇଁ ୮, ପଛୁଆବର୍ଗ ମହିଳା ୧, ଅନୁସୂଚିତ ଜାତି ୩, ଅଣସଂରକ୍ଷିତ ୨ ଏବଂ ମହିଳାଙ୍କ ପାଇଁ ଆସନ ୧ଟି ଥିବା ଜଣାପଡିଛି । ଗତ ୨୨ ତାରିଖ ରବିବାର ଭୋଟର ତାଲିକା ସମ୍ପର୍କିତ ଅଭିଯୋଗ ଶୁଣାଣି ପାଇଁ ଦିନ ସ୍ଥିର ହୋଇଥିଲା ବେଳେ ସେଦିନ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥିବା ନେଇ ସଭ୍ୟ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଦାଖଲ ହୋଇନଥିବା ବେଳେ ଅଭିଯୋଗ ଶୁଣାଳି ହେବ କିପରି ବୋଲି ଭାସ୍କର କୁଣ୍ଡ, ଗଙ୍ଗାଧର କର,ଭରତ ମଳିକ, ବିରେନ୍ଦ୍ର ନାୟକ, ଅଶୋକ ପରିଡା, ଭମରବର ମଳିକ, ବିକ୍ରମ କେଶରୀ ନାୟକ, ଚିତରଞ୍ଜନ ଧଳ,ସନାତନ ବାରିକ,ଚନ୍ଦ୍ରଶେଖର ସେଠୀ,ଚନ୍ଦ୍ରଭାନୁ ଦାସ,ରବିନ୍ଦ୍ର କର,ସ୍ୟାମସୁନ୍ଦର ମଳିକ, ପ୍ରଫୁଲ୍ଲ ବେହେରା, ରବୀନ୍ଦ୍ର ବାରିକ ପ୍ରମୁଖ ସଭ୍ୟ ମାନେ ଦାବି କରିବା ସହିତ ଅଳଭା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଅଭିଯୋଗରେ ଦର୍ଶାଯାଇଛି ଯେ ,ପ୍ରକାଶିତ ଭୋଟର ତାଲିକାରେ ଜାଲିଆତି, ସାଧାରଣ ସଭାକୁ ଅଣଦେଖା, ସମବାୟ ସମିତି ନିୟମାନୁଯାଇ ପ୍ରତ୍ୟେକ ଜୋନର ସଭ୍ୟ ସଂଖ୍ୟା ସ୍ଥିର କରାନଯିବା,ସମବାୟ ସମିତିର ମୋଟ ୨୧୬୭ ସଭ୍ୟ ଥିବା ସ୍ଥଳେ ମାତ୍ର ୧୩୧ ଜଣଙ୍କ ନାମ ଭୋଟର ତାଲିକାରେ ସ୍ଥାନ ପାଇବା, ଭୋଟ ଲିଷ୍ଟ ସଭ୍ୟ କ୍ରମିକ ନମ୍ବର ଅନୁଯାଇ ସ୍ଥିର କରାନଯିବା ଆଦି ବିଭିନ୍ନ ଅଭିଯୋଗ ଥିବା ଜଣାପଡିଛି ।ଏ ସମ୍ପର୍କରେ ସମିତିର ସମ୍ପୁକ୍ତ ରସିଦ ବହି, କ୍ୟାସ ବହି, ଜମାରେଜିଷ୍ଟର ଓ ଅଡିଟ ରିପୋର୍ଟ ତଦନ୍ତ କରାଗଲେ ଜାଲିଆତି ଜଣାପଡିବ ବୋଲି ଅଭିଯୋଗକାରୀ ମାନେ କହିଛନ୍ତି । କିନ୍ତୁ ସମବାୟ ସମିତି ସମ୍ପାଦକ ମନ୍ମଥନାଥ ବିଶ୍ଵାଳଙ୍କୁ ପଚାରିବାରେ ଏହି ଅଭିଯୋଗ ଭିତିହିନ କହିବା ସହିତ ନିର୍ବାଚନ ସମବାୟ ନିୟମ ଅନୁଯାୟୀ ହେଉଥିବା କହିଛନ୍ତି ।