ସାଲେପୁର, କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକରେ ବେଆଇନ ଜବରଦଖଲକାରୀଙ୍କ ସଂଖ୍ୟା ବଢୁଥିଲା ବେଳେ କମୁଛି ଗୋଚର ଓ ଶ୍ମଶାନ କିସମର ଜମି । ସାଧାରଣ ଲୋକେ ସରକାରୀ ଜମିକୁ ଜବରଦଖଲ କଲେ ସେମାନଙ୍କ ବିରୁଦ୍ଧରେ ତହସିଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏପରିକି ଜବରଦଖଲ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉ ନାହିଁ । ଅପରପକ୍ଷେ ଶ୍ମଶାନ ଓ ଗୋଚର କିସମ ଜମି ଉପରେ ସରକାରଙ୍କର ବିଭିନ୍ନ ବିଭାଗର ଜବରଦଖଲ ବେଆଇନ ଭାବେ କରାଯାଇଥିଲେ ମଧ୍ୟ ସେଥିପ୍ରତି ତହସିଲ ପ୍ରଶାସନ ଦୃଷ୍ଟି ଦେଉ ନାହିଁ । ଯାହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାରୁ ଜଣାପଡିଛି ଯେ, ମାହାଙ୍ଗା ବ୍ଳକ ଅଧିନସ୍ଥ ଉମର ପଞ୍ଚାୟତର ଉମର ଗ୍ରାମର ଶ୍ମଶାନ କିସମ ଜମି ଖାତା ନଂ ୪୪୮, ପ୍ଲଟ ନଂ ୧୯୧୯ ଉପରେ ଏକ କୋଟି ୪୪ ଲକ୍ଷ , ୩୯ ହଜାର ୮୩୪ ଟଙ୍କା ବିନିମୟରେ ଉଚ୍ଚ ଜଳ ମଞ୍ଚ ନିର୍ମାଣ କରାଯିବା ସହ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତା. ୨୭.୦୯.୨୦୧୫ ରିଖରେ ଆରମ୍ଭ କରାଯାଇଥିଲା । ଆବଶ୍ୟକତା ନଥାଇ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା ବୋଲି ଉମର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ଏ ସଂପର୍କରେ ସେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ନିକଟରେ ତା. ୪.୮.୨୦୨୨ ରିଖରେ ଲିଖିତ ଅଭିଯୋଗ କରିଛନ୍ତି । ଉମର ଗ୍ରାମ ପଞ୍ଚାୟତର ଉମର ଗ୍ରାମରେ ୨୦୦୮ – ୦୯ ମସିହାରେ ଗୋତରା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପରୁ ମୁଦୁଲିସାହି, ବଣୁଆ ସାହି ଓ ସିଂହ ସାହିକୁ ୨୪୦୦ ମିଟର ଭୂତଳ ପାଇପ ବିଛା ଯାଇ ୭ ଟି ଷ୍ଟାଣ୍ଡ ପଏଣ୍ଟ ନିର୍ମାଣ କରାଯାଇଥିଲା । ଏଥି ନିମନ୍ତେ ୨ ଲକ୍ଷ ୩୯ ହଜାର ୫୮ ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ନାହାଙ୍ଗ ପାନୀୟ ଜଳ ପ୍ରକଳ୍ପରୁ ଉମର ଗ୍ରାମର ବାଲିଆଚକା ବଜାର, କେଉଟସାହି, ବାରିକ ସାହି, ମହାନ୍ତିସାହିକୁ ୨୪ଶହ ମିଟର ପାଇପ ବିଛା ଯାଇ ୫ ଟି ଷ୍ଟାଣ୍ଡ ପଏଣ୍ଟ ନିର୍ମାଣ କରାଯିବା ବାବଦରେ ୨ ଲକ୍ଷ ୨୦ ହଜାର ୪୫୨ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ତଥ୍ୟରୁ ଜଣାପଡିଛି । ଆବଶ୍ୟକତା ନଥାଇ ପୁରୁଣା ପାଇପକୁ କାଟି, ତହସିଲଦାରଙ୍କ ବିନା ଅନୁମତିରେ ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବେଆଇନ ଭାବରେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ମାହାଙ୍ଗା ବ୍ଳକ ଆର ଡବ୍ଲୁ ଏସ୍ ଆଣ୍ଡ ଏସ୍ ସେକ୍ସନ ପତ୍ର ସଂଖ୍ୟା ୯୯ ତା. ୧.୯.୨୦୧୫ ରିଖରେ ପ୍ରଦାନ କରାଯାଇଥିବା ସୂଚନା ତଥ୍ୟରେ ଦର୍ଶାଯାଇଥିଲା ଯେ, ସ୍ଥାନୀୟ ତହସିଲଦାରଙ୍କ ଅନୁମତି ପ୍ରାପ୍ତ ପରେ ଉମରଠାରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ଅପରପକ୍ଷେ ଆର ଡବ୍ଲୁ ଏସ୍ ଆଣ୍ଡ ଏସ୍ ଡିଭିଜନ କଟକ ଚିଠି ନଂ ୧୯୨୦ ତା. ୧୮.୩.୨୦୨୧ ରେ ସୂଚନା ତଥ୍ୟରେ ଦର୍ଶାଯାଇଅଛି ଯେ, ୨୦.୦୪.୨୦୧୬ ରିଖରେ ଫର୍ମ (ଏ) ରେ ମାହାଙ୍ଗା ତହସିଲଦାରଙ୍କୁ ଜମି ଅଧିଗ୍ରହଣ ପାଇଁ ଆବେଦନ କରାଯାଇଛି । ମାହାଙ୍ଗା ତହସିଲଦାର କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୭୭୧, ତା. ୭.୭.୨୦୨୧ ତଥ୍ୟ ଅନୁସାରେ ଜମି ଅଧିଗ୍ରହଣ ପାଇଁ ତହସିଲ କାର୍ଯ୍ୟାଳୟରେ କୌଣସି ଆବେଦନ କରାଯାଇଥିବା ତଥ୍ୟ ଉପଲବ୍ଧ ନାହିଁ । ଏଠି ପ୍ରଶ୍ନ ଉଠେ ୨୦.୦୪.୨୦୧୬ ରିଖରେ ଜମି ଅଧିଗ୍ରହଣ ପାଇଁ ମାହାଙ୍ଗା ତହସିଲଦାରଙ୍କୁ ସଂପୃକ୍ତ ବିଭାଗ ଆବେଦନ କରିଥିଲା । ନିର୍ଦ୍ଦେଶ ନଥାଇ ୨୭.୯.୨୦୧୫ ରିଖରେ କିଭଳି ଭାବରେ ଶ୍ମଶାନ କିସମ ଜମି ଉପରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା । ଏଥିପାଇଁ ଦାୟୀ କିଏ ? କ’ଣ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବର୍ତ୍ତମାନ ମେଗା ପ୍ରକଳ୍ପ ଯୋଜନାରେ ନୂତନ ପାଇପ୍ ବିଛା କାର୍ଯ୍ୟ ଚାଲିଛି । ୫ ବର୍ଷ ତଳେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପର ଭାଗ୍ୟ କ’ଣ ହେବ ? ସାଧାରଣରେ ଅଭିଯୋଗ ହେଉଛି ଯେ, ଉମରସ୍ଥିତ ପାଣିଟାଙ୍କିରୁ ପାନୀୟ ଜଳ ଯୋଗାଣ କରାଯାଉନାହିଁ । ବିଭାଗ କ’ଣ ପ୍ରଦର୍ଶନୀ ପାଇଁ ଏହି ପାନୀୟ ଜଳ ପ୍ରକଳ୍ପ ଟାଙ୍କି ନିର୍ମାଣ କରିଥିଲା । ଏହି ଘଟଣାର ତଦନ୍ତ କରି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବତନ ସରପଞ୍ଚ ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି । ଯଦି ତଦନ୍ତ କରାନଯାଏ ତେବେ ସେ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।