
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଚଂଳ ଅନ୍ତର୍ଗତ ଅଳପୁଆ ହାଇସ୍କୁଲ ଗେଟ ସାମନାରୁ ଜନୈକ ବ୍ୟକ୍ତିଙ୍କ ସ୍କୁଟି ଡିକିରୁ ୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ ହୋଇଛି ।
ଅଭିଯୋଗରୁ ପ୍ରକାଶ ଯେ, ଅଳପୁଆ ଗ୍ରାମର କୃତିବାସ ସାହୁ ଆଜି ମଧ୍ୟାହ୍ନରେ ଦାଣ୍ଡିସାହିସ୍ଥିତ କାନାରା ବ୍ୟାଙ୍କ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଉକ୍ତ ଟଙ୍କା ଓ କେତେକ ଦରକାରୀ କାଗଜପତ୍ର ସହିତ ସ୍କୁଟି ଡିକିରେ ରଖିଥିଲେ । କୃତିବାସଙ୍କର କୌଣସି କାର୍ଯ୍ୟ ଥିବାରୁ ଅଳପୁଆ ହାଇସ୍କୁଲ ଗେଟ ବାହାରେ ସ୍କୁଟିଟିକୁ ରଖି ହାଇସ୍କୁଲ ମଧ୍ୟକୁ ଯାଇ କିଛି ସମୟ ପରେ ଗେଟ ନିକଟକୁ ଫେରିଥିଲେ । କିନ୍ତୁ ସେ ଫେରିବା ପରେ ତାଙ୍କ ସ୍କୁଟି ଡିକିରେ ଟଙ୍କା ଓ କାଗଜପତ୍ର ଭର୍ତି ବ୍ୟାଗଟି ନଥିବା ଦେଖିବାକୁ ପାଇଥିଲେ । ଏଥି ନେଇ କୃତିବାସ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିବା ଜଣାଯାଇଛି । ସମ୍ଭବତଃ କୃତିବାସ ବ୍ୟାଙ୍କରୁ ଟଙ୍କା ଉଠାଉଥିବାବେଳେ କେହି ତାଙ୍କର ପିଛା କରୁଥିବା ବିଷୟରେ ସେ ଜାଣିପାରି ନଥିଲେ । ସ୍କୁଟିରେ ଟଙ୍କା ରଖି ସ୍କୁଲ ମଧ୍ୟକୁ ଯିବାର ସୁଯୋଗ ନେଇ କେହି ଦୁର୍ବୁତ ସ୍କୁଟି ଡିକିରୁ ଟଙ୍କା ଲୁଟ କରିଥିବା ସନ୍ଦେହ କରାଯାଉଛି । ଚଉଦକୁଲାଟ ଫାଣ୍ଡି ପୋଲିସ ଏନେଇ ଏକ ମାମଲା ରୁଜୁ କରି ଟଙ୍କା ଲୁଟ ଘଟଣାର ଅନୁସନ୍ଧାନ ଚଳାଇଛି ।