କଟକ, କଟକ ଏସସିବି ମେଡିକାଲରେ ଦଲାଲି କରି ରୋଗୀଙ୍କ ଠାରୁ ଟଙ୍କା ଲୁଟୁଥିବା ମଞ୍ଜୁଶ୍ରୀ ସର୍ଭିସ ଏଜେନ୍ସିର ୫ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କଟକ ମଙ୍ଗଳବାଗ ଥାନା ପୋଲିସ । ଆଇପିସିର ଧାରା ୪୨୦ ଓ ୩୪ ବଳରେ ଏମାନଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଆଉଟଡୋର୍ ଟିକେଟ୍ ଓ ନଗଦ ୧୩୦୦ ଟଙ୍କା ଜବତ ହୋଇଛି । ଏହି ଦଲାଲ୍ ମାନେ ରୋଗୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଘରୋଇ ହସ୍ପିଟାଲକୁ ପଠାଇବା ସହ ରୋଗୀଙ୍କ ଟିକେଟ୍ କରାଇବା ନାମରେ ପ୍ରତି ରୋଗୀ ପିଛା ୫୦୦ ରୁ ୧୦୦୦ ଟଙ୍କା ଲୁଟୁଥିଲେ । ଗତକାଲି ପୋଲିସ ଏମାନଙ୍କୁ ଧରିଥିଲା । ଗିରଫ ପରେ ଆଜି ସମ୍ପୃକ୍ତ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ତେବେ ଘଟଣାରେ କୌଣସି ଘରୋଇ ହସ୍ପିଟାଲର ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ପକ୍ଷରୁ ସେନେଇ ତଦନ୍ତ ଚାଲିଥିବା ନେଇ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।
ଅନ୍ୟପକ୍ଷରେ ମଞ୍ଜୁଶ୍ରୀ ସର୍ଭିସ ଏଜେନ୍ସିର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସେ ମଙ୍ଗଳବାଗ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।