
ବଲାଙ୍ଗିର, କେତୋଟି କୋମଳମତି ଶିଶୁଙ୍କ ଅନୁରୋଧ ରକ୍ଷା କରି ଛୁଟିଦିନରେ ଉଦୁଉଦିଆ ଖରାରେ ପାଦରେ ଚାଲି ଚାଲି ତିନି କିଲୋମିଟର ରାସ୍ତା ଚାଲିବା ଅଧିକାରୀ ହେଉଛନ୍ତି ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଯାହାକି ଅଞ୍ଚଳର ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତର ଗୋଟିଏ ଛୋଟ ଗାଁ ଗରଗଡ଼ଛାପର। ଗତ ୨୦୨୦ ମସିହାରେ ଗାଁ ପ୍ରାଥମିକ ବିଦ୍ୟାଳୟଟିକୁ ପିଲା କମ ଦେଖାଇ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା। ଗରଗଡ଼ଛାପର ସ୍କୁଲ ଠାରୁ ଢୋଡ଼ମହୁଲ ସ୍କୁଲର ଦୂରତା ପ୍ରାୟ ତିନି କିଲୋମେଟର ଦୂର ଥିଲେ ମଧ୍ୟ ତାକୁ ଶିକ୍ଷା ବିଭାଗ ପକ୍ଷରୁ ଅଧ କିଲୋମିଟର ଦର୍ଶାଯାଇଥିଲା। କରୋନା ମହାମାରୀ ହେତୁ ସ୍କୁଲ ମିଶ୍ରଣ ପରେ ପାଠପଢା ବନ୍ଦ ଥିଲା, ହେଲେ ସ୍କୁଲ ଖୋଲିଲା ପରେ ମଧ୍ୟ ଅଧିକ ଦୂର, ନିକାଞ୍ଚନ ରାସ୍ତା ସାଙ୍ଗକୁ ପ୍ରଚଣ୍ଡ ଖରା ହେଉଥିବାରୁ କୌଣସି ପିଲା ସ୍କୁଲକୁ ପଢିବା ପାଇଁ ଯାଉନଥିଲେ। ଏକଥା ଜାଣିବାପରେ ଖୁଣ୍ଟସମଲେଇ ସମିତିସଭ୍ୟା ଉପଜିଲ୍ଲାପାଳଙ୍କୁ ପିଲାମାନେ ସ୍କୁଲ ନଯିବା କଥା ଜଣାଇଥିଲେ। ବିଷୟର ଗୁରୁତ୍ଵକୁ ଉପଲବ୍ଧି କରି ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଆଜି ଛୁଟିଦିନ ହେଲେ ମଧ୍ୟ ପିଲାଙ୍କ କଥା ବୁଝିବା ପାଇଁ ଗରଗଡ଼ଛାପର ଗାଁକୁ ଆସିଥିଲେ। ସେଠାରେ ପହଞ୍ଚି ୨୩ ଜଣ କୋମଳମତି ପିଲାଙ୍କୁ ଦେଖି ତାଙ୍କ ହୃଦୟ ତରଳି ଯାଇଥିଲା ଓ ସତ୍ୟତା ଉପଲବ୍ଧି କରିବା ପାଇଁ କିଛି ଗାଁ ଲୋକଙ୍କ ସହିତ ପାଦରେ ଚାଲି ଚାଲି ଢୋଡ଼ମହୁଲ ସ୍କୁଲ ଅଭିମୁଖେ ବାହାରି ଯାଇଥିଲେ। ଢୋଡ଼ମହୁଲ ସ୍କୁଲରେ ପହଞ୍ଚି ପିଲାମାନେ କିପରି ଏତେ ଦୂର ଆସୁଛନ୍ତି ତାହା ବହୁତ ଦୁଃଖର ବିଷୟ ବୋଲି ମନ୍ତବ୍ୟ ଦେଇଥିଲେ। ଜଣେ ପ୍ରଶାସନିକ ଅଧିକାରୀ ଏପରି ଲୋକଙ୍କ ଅସୁବିଧା ବୁଝିବା ପାଇଁ ଏ.ସି. ଗାଡ଼ିରେ ନଯାଇ ପାଦରେ ଚାଲି ଚାଲି ଯାଉଥିବାର ଦେଖି ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠିଙ୍କୁ ପ୍ରଶଂସା କରିଛନ୍ତି।