ଭୁବନେଶ୍ୱର, ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ଓଡ଼ିଶା ପିସିସିର ନୂଆ ସଭାପତି । ଏଆଇସିସି ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ବ୍ୟତୀତ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ହୋଇଥିବା ମଧ୍ୟ ଏଆଇସିସି ସୂଚନା ଦେଇଛି । ଏହାସହ ଜଣେ ବିଧାୟକ ପିସିସି ସଭାପତି ହେବା ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି ।
ଅପରପକ୍ଷରେ ନୂଆ ଦାୟିତ୍ୱ ମିଳିବା ପରେ ନବ ନିଯୁକ୍ତ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ସେ ଶ୍ରୀମତୀ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ନିକଟରେ ଋଣୀ । ଯେଉଁ ଦାୟିତ୍ୱ ମିଳିଛି ସେ ତାହାକୁ ସୁଚାରୁ ରୂପେ ତୁଲାଇବାକୁ ପ୍ରଚେଷ୍ଟା କରିବେ । ଆଗାମୀ ଦିନରେ ଓଡିଶାରେ କଂଗ୍ରେସର ସଂଗଠନକୁ ମଜବୁତ କରାଯିବ । ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବୁ । କଂଗ୍ରେସ କର୍ମୀ , ନେତା ଓ ଓଡିଶାର ଜନସାଧାରଣଙ୍କ ଆଶୀର୍ବାଦ ନେଇ ସମସ୍ତଙ୍କୁ ସାଥିରେ ନେଇ ବିଜେଡି -ବିଜେପି ବିରୁଦ୍ଧରେ ଲଢେଇ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।
ସେହିପରି ଜଣେ ବିଧାୟକ ପିସିସି ସଭାପତି ହେବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଏହା ଆମ କଂଗ୍ରେସ ପରିବାରର କଥା । ଆମେ ଆଲୋଚନା କରି ନିଷ୍ପତି ନେବୁ । ଦଳରେ କୌଣସି ନେତା ଅସନ୍ତୁଷ୍ଟ ନୁହେଁ । ହାଇକମାଣ୍ଡ ଯାହା ନିଷ୍ପତି ନେବେ ଆମେ ସମସ୍ତେ ମାନିବୁ ବୋଲି ସେ କହିଛନ୍ତି ।