ଭୁବନେଶ୍ୱର, ପୁରୀରେ ଜିପିଆରଏସ ସର୍ଭେ ଆରମ୍ଭ ପରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡ ସମ୍ବିତ ପାତ୍ର ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କାଠଗଡାକୁ ଟାଣିଛନ୍ତି । ପିନାକୀ ମିଶ୍ର ପୂର୍ବରୁ ଜିପିଆରଏସ ସର୍ଭେ ହୋଇ ସାରିଥିବା କହିଥିଲେ । ସମ୍ବିତ ପ୍ରଶ୍ନ କରଛନ୍ତି ଯେ କହିଲେ ଜିପିଆରଏସ ଯଦି ହୋଇଥିଲା ଏବେ କ’ଣ ଚାଲିଛି ତାର ଉତ୍ତର ସାଂସଦ ଦିଅନ୍ତୁ ।
ସେ କହିଛନ୍ତି ଯେ ସାଂସଦ ପିନାକୀ ମିଶ୍ର ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ଶ୍ରୀମନ୍ଦିର ଚାରିପଟେ ଏବେ ଜିପିଆରଏସ କରାଯାଉଛି । ଗତ ଦୁଇ ଦିନ ହେବ ଜିପିଆରଏସ କାମ ଚାଲିଛି । ସେ କହିଛନ୍ତି ଯେ , ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି । ତାହା ଏବେ ସମସ୍ତଙ୍କ ସାମ୍ନାରେ ପ୍ରମାଣିତ । ସିଂହ ମୂର୍ତୀ ଭାଙ୍ଗିବା ଖବର ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଏବେ ଜିପିଆରଏସ କରାଯାଉଛି ।
ସେ କହିଛନ୍ତି ଯେ ଗୋଟିଏ ମିଛ ଲୁଚାଇବାକୁ ହଜାରେ ମିଛ କହିବାକୁ ପଡ଼େ । ରାତି ଅଧରେ ଲୁଚାଇ ଛପାଇ କାହିଁକି ଜିପିଆରଏସ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଗେ ଖୋଳିଲେ ପଛରେ ଜିପିଆରଏସ କରିବା ସମ୍ପୂର୍ଣ୍ଣ ଅବୈଜ୍ଞାନିକ । ପୁରୀରେ ଏବେ ଜିପିଆରଏସ ହେଉଛି ବୋଲି ଏଏସଆଇ ଜାଣିଛି ନା ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଜିପିଆରଏସ ବେଳେ ଏଏସଆଇ ଅଧିକାରୀ ଅଛନ୍ତି କି ନାହିଁ ତାହା ପିନାକୀ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।
ବ୍ୟକ୍ତିଗତ ଭାବେ ଗାଳିଗୁଲଜ ନ କରି ଓଡ଼ିଶାବାସୀଙ୍କୁ ଉତ୍ତର ଦିଅନ୍ତୁ ସାଂସଦ ପିନାକୀ ମିଶ୍ର ବୋଲି ସମ୍ବିତ କହିଛନ୍ତି ।
ସୂଚନା ଯୋଗ୍ୟ ଦୁଇ ଦିନ ପୂର୍ବେ ପିନାକୀ ମିଶ୍ର ନିଜ ଟ୍ୱିଟ୍ରେ କହିଥିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ଜିପିଆରଏସ କରାଯାଇଥିଲା । ଏହାର ରିପୋର୍ଟ ମଧ୍ୟ ଅଛି । ସଠିକ୍ ସମୟରେ ଏହାକୁ ଦେଖାଯିବ ।