ଭୁବନେଶ୍ୱର,ରାଜ୍ୟର ପ୍ରମୁଖ ତିନି ବିଶ୍ୱବିଦ୍ୟାଳୟରେ ସେଲଫ୍ ଫାଇନାନ୍ସିଙ୍ଗ୍ କୋର୍ସକୁ ବନ୍ଦ କରିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରୀ ବିଶ୍ୱବିଦ୍ୟାଳୟରୁ ଏହି କୋର୍ସ ଉଠାଇଦେବା ଫଳରେ ଘରୋଇ ଶିକ୍ଷାନୁଷ୍ଠାନ ପିଲାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିବାର ମାର୍ଗ ପ୍ରଶସ୍ତ ହେବ । ପର୍ଯ୍ୟାପ୍ତ ଭିତିଭୂମି, ତାଲିମପ୍ରାପ୍ତ ଶିକ୍ଷକ ଇତ୍ୟାଦିର ଅଭାବ ଥିବା ସତ୍ୱେ ଛାତ୍ରଛାତ୍ରୀଙ୍କ ନିକଟରେ ବିକଳ୍ପ ବାଟ ନଥିବାରୁ ଟଙ୍କା ଦେଇ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଏହି ବିଷୟଗୁଡ଼ିକର ଡିଗ୍ରୀ ହାସଲ କରୁଥିଲେ । ଏହି କୋର୍ସ ଗୁଡ଼ିକୁ ନିୟମିତ କୋର୍ସ ନକରାଇ ହଠାତ୍ ବିନା ଆଲୋଚନାରେ ଏକତରଫା ନିଷ୍ପତି ନେବା ଅଦୂରଦର୍ଶୀତାର ପ୍ରମାଣ ଦେଉଛି । ସାମାଜିକ ଓ ଆର୍ଥିକ ଅବହେଳିତ ବର୍ଗର ପିଲା ଏହି ଶିକ୍ଷାରୁ ବଂଚିତ ହେବେ । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପଢାଯାଉଥିବା ସେଲ୍ଫ ଫାଇନାନ୍ସିଙ୍ଗ୍ କୋର୍ସ ଗୁଡ଼ିକର ସରକାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ନିୟମିତ ଓ ସ୍ଥାୟୀ ବିଷୟ ଭାବେ ଗ୍ରହଣ କରି ଉନ୍ନତ ଗୁଣମାନର ଶିକ୍ଷାଦାନ ବ୍ୟବସ୍ଥା କରାଯାଉ । ନଚେତ୍ ଖୁବ୍ଶୀଘ୍ର ଓଡ଼ିଶାର ଛାତ୍ର ସମାଜ ଏହାର ଜବାବ୍ ଦେବ ବୋଲି ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଭାପତି ସଂଘମିତ୍ରା ଜେନା ଚେତାବନୀ ଦେଇଛନ୍ତି ।