ଭୁବନେଶ୍ୱର,ମେଡିକାଲ କଲେଜରେ ସିଟ୍ ଦେବା ନାଁରେ ଠକେଇ ଅଭିଯୋଗରେ ଦୁଇଜଣ ଠକକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ୨ ଯୁବକ ହେଲେ ବିହାରର ଅଭିମନ୍ୟୁ କୁମାର ସିଂହ ଓ କୋଲକାତାର ସୁବୋଧ ଚୌଧୁରୀ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଗତ ମେ ୫ ତାରିଖରେ ପଲ୍ଲବୀ ସାହା ନାମକ ଯୁବତୀଙ୍କୁ ଇନଫୋସିଟି ଅଂଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ପିଜି ସିଟ୍ ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରି ଅଭିମନ୍ୟୁଙ୍କୁ ପାଟଣାରୁ ଓ ସୁବୋଧଙ୍କୁ କୋଲକତାରୁ ଗିରଫ କରିଛି । ସେମାନେ ସବୁବେଳେ ଛଦ୍ମ ନାମ ଅମିତ ବାନାର୍ଜୀ ଓ ବିକାଶ ରଞ୍ଜନରେ କାରବାର କରୁଥିଲେ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ ୧୧ ଲକ୍ଷ ଜବତ ହୋଇଛି ।
୧୦ ବର୍ଷ ହେଲାଣି ଦୁଇ ଠକ ଲୋକଙ୍କୁ ଠକୁଥିବା ନେଇ ଜଣାପଡିଛି । ମେଡ଼ିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ପ୍ରାର୍ଥୀଙ୍କୁ ଯୋଗାଯୋଗ କରୁଥିଲେ । ପ୍ରାଙ୍କ କଲ ଆପ ଜରିଆରେ ଫୋନ କରୁଥିଲେ ଠକ । ପ୍ରାଙ୍କ କଲ ଆପରେ କଲ କଲେ ଟ୍ରୁ କଲରରେ କୌଣସି ନାଁ ଆସୁ ନଥିଲା । ସେମାନେ ଫେକ ଅଧାର କାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ହୋଟେଲ ଓ ଫ୍ଲାଇଟରେ ଆସୁଥିଲେ । ସେମାନେ ବିଭିନ୍ନ ରାଜ୍ୟରେ ଠକିଥିବା ନେଇ ଅଭିଯୋଗ ହୋଇଛି । ରିମାଣ୍ଡରେ ଆଣି ଜେରା କରାଯିବା ପରେ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି ।