କନ୍ଧମାଳ, କିଛି ଦିନର ନିରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଗତକାଲି ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ, ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଲଗା ହୋଇଥିଲା। ଆଜି ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ବାଂସଧାରା ଘୁମୁସର ନାଗାବଳୀ (ବା.ଘୁ.ନା) ଡିଭିଜନ ପକ୍ଷରୁ ବିଭିନ୍ନ ଯାଗାରେ, ବ୍ୟାନର ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ଲଗାଯାଇଥିବା ବ୍ଯାନର ଓ ପୋଷ୍ଟର ଗୁଡିକରେ, ଦରଦାମ ବୃଦ୍ଧି ଓ ପୋଲିସ୍ର ଦମନଲୀଳା ପ୍ରତିବାଦରେ ମଇ ୨୦ ତାରିଖରେ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ବ୍ୟାନର, ପୋଷ୍ଟର ମାଧ୍ୟମରେ ଜନସାଧାରଣଙ୍କୁ ଆହ୍ବାନ ଦେଇଛି ମାଓ ସଂଗଠନ । ଅନ୍ୟପଟେ ଶ୍ରୀଲଙ୍କାରେ ଆନ୍ଦୋଳନରତ ଜନତାଙ୍କୁ ଦମନ କରିବା ପାଇଁ ସେନା ପଠାଇବା କାର୍ଯ୍ୟକୁ ଭାରତ ସରକାରଙ୍କ ବିସ୍ତାର ବାଦ ବୋଲି ଆଖ୍ୟା ଦିଆଯିବା ସହ ମୋଦି ସରକାର ମୁର୍ଦ୍ଦାବାଦ୍, କରୋନା ମହାମାରୀ ସମାଜବାଦୀଙ୍କ ଯୁଦ୍ଧ ଯୋଗୁଁ ସବୁ ଜିନିଷର ଦରଦାମ୍ ବୃଦ୍ଧି କରିଥିବା ମୋଦି ଓ ନବୀନ ସରକାର ମୁର୍ଦ୍ଦାବାଦ୍ ବୋଲି ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ସେପଟେ ଘଟଣା ପରେ ଜିଲ୍ଲାରେ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।