କନ୍ଧମାଳ, ବୁଧବାର କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ପରିସରରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ପୂର୍ବରୁ କୋଟଗଡ଼ ସାଂସଦ ପ୍ରତିନିଧି ମନୋଜ ସାବତ ଓ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁରଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ପ୍ରବଳ ବଚସା ହେବା ପରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଡିଓ କୈଳାସ ମୁର୍ମୁ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ବୁଝାସୁଝା କରିଥିଲେ ।
ବୈଠକ ପ୍ରଥମରୁ ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧିଙ୍କ ମଧ୍ୟରେ ଡାଇସରେ ବସିବାକୁ ନେଇ ଯୁକ୍ତିତର୍କ ହୋଇଥିଲା । ସାଂସଦ ପ୍ରତିନିଧିଙ୍କୁ ବୈଠକରେ ବସିବା ପାଇଁ କିଏ ଅନୁମତି ଦେଲା ବୋଲି କୋଟଗଡ଼ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ପ୍ରଶ୍ନ କରିଥିଲେ ବ୍ଲକ ଅଧ୍ୟକ୍ଷା ପିଙ୍କି କହଁର । ଏହାକୁ ନେଇ ପ୍ରବଳ ଯୁକ୍ତିତର୍କ ଓ ହୋ-ହଲ୍ଲା ମଧ୍ୟରେ ବୈଠକ ଆରମ୍ଭ ହୋଇଥିଲା। ଏହି ବୈଠକରେ କୋଟଗଡ଼ ଜିଲ୍ଲା ପରିଷଦ ସଦସ୍ୟ ଜିରିମୟ ସୁନାମାଝି, ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ପୁଷ୍ପାଞ୍ଜଳି ଭଟ, ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ସୋରେନଙ୍କ ସମେତ କୋଟଗଡ଼ ବ୍ଳକର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ଏହି ବୈଠକକୁ ନେଇ କୋଟଗଡ଼ ବ୍ଲକ୍ ପରିସରରେ କଂଗ୍ରେସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ କୋଟଗଡ଼ ବିଡ଼ିଓ କିମ୍ବା ବ୍ଲକ ଅଧ୍ୟକ୍ଷା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।