କେନ୍ଦୁଝର, କେନ୍ଦୁଝରରେ ବଳଦ ଖୋଜିବାକୁ ଯାଇ ବଣୁଆ ହାତୀ ହାବୁଡରେ ପଡିଗଲେ ବୃଦ୍ଧ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ।
ତେଲକୋଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଲାଡେରା ଗ୍ରାମର ବୃଦ୍ଧ ନିଧିଆ ନାଏକଙ୍କ ବଳଦଟି ମଙ୍ଗଳବାର ଦିନ ହଜିଯାଇଥିଲା । ଫଳରେ ନିଧିଆ ତାଙ୍କର ହଜି ଯାଇଥିବା ବଳଦଟିକୁ ଖୋଜିବାକୁ ବନବିହାରିପୁର ଗ୍ରାମର ଜୁଆଙ୍ଗ ସାହିକୁ ଯାଇଥିଲେ । ତେବେ ସଂଧ୍ୟା ହୋଇଯିବାରୁ ଘରକୁ ଫେରି ପାରି ନଥିଲେ । ଏବଂ ଜଣେ ପରିଚିତ ଲୋକଙ୍କ ଘରେ ରହିଯାଇଥିଲେ । ରାତି ପାହିବା ପରେ ସକାଳୁ ସକାଳୁ ନିଧିଆ କାଜୁ ବଗିଚା ବାଟ ଦେଇ ଘରକୁ ଫେରୁଥିବା ବେଳେ ହଠାତ୍ ହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଉପରକୁ ଟେକି କଚାଡି ଦେବା ସହ ଛାତିରେ ଚଢି ଯାଇଥିଲା । ପାଟି ଶୁଣି ସାହି ଲୋକମାନେ ଘଟଣା ସ୍ଥଳକୁ ଦୌଡି ଆସିଥିଲେ । ଲୋକମାନଙ୍କୁ ଦେଖି ହାତୀ ନିଧିଆ ନାଏକକୁ ଛାଡିି ପଳାଇଥିଲା । ଲୋକମାନେ ନିଧିଆକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗାଁକୁ ଆଣିବା ସହ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଂଚି ନିଧିଆକୁ ତେଲକୋଇ ମେଡିକାଲକୁ ନେଇଥିଲେ ।ତେବେ ନିଧିଆଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଗତ ପ୍ରାୟ ଦଶ ଦିନ ପୂର୍ବେ ଜଣେ ମହିଳାଙ୍କୁ ସେହି କାଜୁ ଜଙ୍ଗଲରେ ଗୋଠଛଡା ଦନ୍ତା ହାତୀ ଦଳି ଦେଇଥିଲା । କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ସଂପଦ ଯେଭଳି ଦୃତଗତିରେ ହ୍ରାସ ପାଇବାରେ ଲାଗିଛି ଜଙ୍ଗଲର ବିରାଟକାୟ ଜୀବ ହାତୀର ବାସଗୃହ ନଷ୍ଟ ହେବା ସହ ଖାଦ୍ୟ ଓ ପାନୀୟର ଅଭାବ ପଡୁଛି । ଯେଉଁଥିପାଇଁ ପଲ ପଲ ହାତୀ ଜଙ୍ଗଲରୁ ଆସି ଜନବସତି ମୁହାଁ ହେଉଛନ୍ତି ।
ଅନ୍ୟପକ୍ଷରେ ଜନବସତି ମୁହାଁ ହେଉଥିବା ହାତୀଙ୍କୁ ଧାନ ଫସଲ ମଧ୍ୟ ବେଶ ଆକର୍ଷିତ କରୁଛି । ହାତୀପଲ ଜନବସତି ମୁହାଁ ହେଉଥିବା ବେଳେ ମଣିଷଙ୍କ ସହ ସେମାନଙ୍କର ମୁହାଁମୁହିଁ ହେବା ସ୍ଵାଭାବିକ । ଏ ଦିଗରେ ମଣିଷ ସମାଜ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ରହିଛି ।