 
                ବଲାଙ୍ଗିର, ଗତକାଲି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଜିଲାପାଳ ଚଞ୍ଚଲ୍ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ବଲାଙ୍ଗିର ବିଧାୟକ ପ୍ରତିନିଧି ମନିଷ କୁମାର ମିଶ୍ର, ଲୋଇସିଙ୍ଗା ବିଧାୟକ ପ୍ରତିନିଧି ଦେବୀଲାଲ ମିଶ୍ର, ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷ ନିକା ସାହୁ, କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟମ ସିଂହ ସାଲୁଜା, ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଜୟସ୍ୱାଲ, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିଲିପ କୁମାର ପଟେଲ୍, ପିଡିଡିଆରଡିଏ ସୁଶାନ୍ତ କୁମାର ସିଂହ, ପି.ଡି. ସହରାଞ୍ଚଳ ସୁଦର୍ଶନ ସାଏ , ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପାଟଣାଗଡ଼ ଉପଜିଲ୍ଲାପାଳ ଦାଖଲ ବିଦୟା ନନ୍ଦ ସେଠି, ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ବି ଡି ଓ , ଅଗ୍ନିଶମ ଏବଂ ଓଡ୍ରାଫ୍ ର ଅଧିକାରୀ, ତହସିଲଦାର ମାନେ ଉପସ୍ଥିତ ଥିଲେ। ବୈଠକରେ ସମ୍ଭାବ୍ଯ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହିତ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର୍ କର୍ମଚାରୀ ମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ଲାଗୁରୀ ବୈଠକରେ ଆଲୋଚ୍ୟ ବିଷୟ ବସ୍ତୁ ଉପସ୍ଥାପନ କରିଥିଲେ।
ବୈଠକର ନିଷ୍ପତ୍ତି ପ୍ରକାରେ ଜୁନ ମାସ ୧ ତାରିଖ ଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ସମସ୍ତ ବ୍ଲକ ତହସିଲ ଓ ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟ ଗୁଡିକରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ତଥା ତଳି ଅଞ୍ଚଳରେ ସମ୍ଭାବ୍ଯ ବନ୍ୟା ପରିସ୍ଥିତିରେ ଜନସାଧାରଣଙ୍କୁ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଗୁଡିକ ଚିହ୍ନଟ କରି ପ୍ରସ୍ତୁତ କରି ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ପାଣି ଜମି ରହୁଥିବା ସ୍ଥାନ ଗୁଡିକ ଚିହ୍ନଟ କରି ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା, ବର୍ଷା ପୂର୍ବରୁ ସମସ୍ତ ନାଳ ଗୁଡିକ ସଫା କରିବା, ପୌର ପରିଷଦ ଅନ୍ତର୍ଗତ ଲକ୍ଷ୍ମୀଜୋରର ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜଳ ଯୋଗାଣକୁ ସୁବନ୍ଦୋବସ୍ତ କରିବା ସହ ନିୟମିତ ସମୟ ବ୍ୟବଧାନରେ ସମସ୍ତ ନଳକୂପ ପାଇପ୍ ଜଳଯୋଗାଣ କୂପ ଇତ୍ୟାଦିକୁ ବିଶୁଦ୍ଧିକରଣ କରିବା ଉପରେ ଗୁରୁତ୍ଵାରୋପ କରାଯାଇଛି। ଜିଲାରେ ଥିବା ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣରେ ଔଷଧ ହାଲୋଜେନ ବଟିକା, ବ୍ଲିଚିଙ୍ଗ ପାଉଡର ଇତ୍ୟାଦି ମହଜୁଦ୍ କରି ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦ୍ ବ୍ୟତୀତ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ ସାପ କାମୁଡ଼ା ଇଞ୍ଜେକସନ ଉପଲବ୍ଧ କରିବା ଉପରେ ସେ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ଯ ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀ ସମ୍ପଦର ସୁରକ୍ଷା ନିମନ୍ତେ ଆଗୁଆ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଔଷଧ ମହଜୁଦ ରଖିବାକୁ ସେ ସିଡିଭିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟା ପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ ପର୍ଯ୍ୟାପ୍ତ ପରିମାଣରେ ବାଲି ବସ୍ତା ମହଜୁଦ ରଖିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସମାଗ୍ରୀ ଚୁଡା, ଚାଉଳ, କିରୋସିନି, ଦିଆସିଲ୍, ମହମବତୀ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଜରୁରୀକାଳୀନ ଅଧିକାରୀ ରିନା କୁମାରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 
                    







