ମାଲକାନଗିରି, ପାରିବାରିକ କଳହକୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡ଼ା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି । ଉତ୍ୟକ୍ତ ସ୍ବାମୀ ନିଜ ପତ୍ନୀର ଗଳା ଚିପି ହତ୍ୟା କରିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ , ମେଟାଗୁଡ଼ା ଗ୍ରାମର ଦୁଲା ମାଢ଼ି ପ୍ରତିଦିନ ଭଳି ଗତକାଲି ସଂଧ୍ୟାରେ ନିଜ କାମ ସାରି ଘରକୁ ଫେରିଥିଲେ । ଏହାର କିଛି ସମୟ ପରେ କୌଣସି କାରଣରୁ ଦୁଲା ଓ ପତ୍ନୀ ପଦିଏଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଦୁଲା ଉତ୍ୟକ୍ତ ହୋଇ ପଦିଏଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଗଳାକୁ ଚିପି ଦେଇଥିଲେ । କିଛି ସମୟ ପଦିଏ ଛଟପଟ ହେବା ପରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଗ୍ରାମବାସୀ ଏହା ଜାଣିବାପରେ ଅଭିଯୁକ୍ତ ଦୁଲାଙ୍କୁ କାବୁ କରିଥିବା ବେଳେ ମୃତ ପଦିଏଙ୍କ ଭାଇ ଏନେଇ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ କେଶ୍ ନଂ – ୪୩ / ୨୨ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ କହିଛନ୍ତି । ପୁଲିସ ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଘଟଣାସ୍ଥଳରେ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପୁଲିସ ସହ ତଦନ୍ତ କରୁଛି । ଏହି ମାମଲାରେ ଅଭିଯୁକ୍ତ ଦୁଲାକୁ କୋର୍ଟ ଚାଲାଣ କରାଯାଇଛି । ମୃତ ପଦିଏଙ୍କ ୭ ବର୍ଷର ଏକ ପୁଅ ଥିବା ଜଣାପଡ଼ିଛି ।