ମାଲକାନଗିରି, କାଲିମେଳା ମହାବିଦ୍ୟାଳୟର ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀ ଶଙ୍କରି ସରଦାର ( ୧୮ବର୍ଷ ) ଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଛାତ୍ରୀଙ୍କ ଶବ ଏମ୍ଭି – ୧୨୬ ଓ ଏମ୍ଭି – ୭୨ ମଝିରେ ବିଏସଏଫ୍ କ୍ୟାମ୍ପ ସମ୍ମୁଖ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଛାତ୍ରୀଙ୍କ ଦୁଇ ଆଣ୍ଠୁ ମାଟିରେ ଲାଗି ରହିଥିବା ବେଳେ ଗୋଟିଏ ସରୁ ଡାଳରେ ବନ୍ଧା ହୋଇଥିବା ଓଢ଼ଣୀରେ ବେକ ଗୁଡ଼ାଇ ହୋଇ ରହିଥିଲା । ଏତେ ସରୁ ଡାଳରେ ଛାତ୍ରୀ ଜଣଙ୍କ କେମିତି ଝୁଲିଲେ ଏବଂ ମୃତ୍ୟୁ କେମିତି ହେଲା ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା । ଏମଭି – ୭୯ ଥାନା ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଛାତ୍ରୀଙ୍କ ସହିତ ଜଣେ ଯୁବକ ସେହି ଦିନ ସାରା ଏକାଠି ରହିଥିବା ଅନେକ ସ୍ଥାନୀୟ ଲୋକ ଦେଖିଥିବା ପ୍ରକାଶ କରିଥିଲେ । ଏହାପରେ ଛାତ୍ରୀଙ୍କ ମୋବାଇଲ ଯାଞ୍ଚ କରିବାରୁ ସଂପୃକ୍ତ ଯୁବକଙ୍କ ବିଷୟରେ ପୁଲିସକୁ ଅଧିକ ସୂଚନା ମିଳିଥିଲା । କାଲିମେଳା ଥାନା ଅନ୍ତର୍ଗତ ଭେଙ୍କଟପାଲମ ପଞ୍ଚାୟତ ଏମପିଭି – ୨୯ ଗ୍ରାମର ଅଜୟ ଢ଼ାଲି ଘଟଣା ଦିନ ଛାତ୍ରୀଙ୍କ ସହ ରହିଥିଲେ ବୋଲି ପୁଲିସ ଠୋସ୍ ପ୍ରମାଣ ପାଇଥିଲା । ତେଣୁ ସଂପୃକ୍ତ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ବୋଲି ସୂଚନା ମିଳିଛି । ଏପରିକି ପୁଲିସ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ନାଲା ଗୁଣ୍ଠି ପଞ୍ଚାୟତ ଅନ୍ତର୍ଗତ ଏମପିଭି – ୩୬ ଗ୍ରାମର ନିଖିଲ ସରଦାରଙ୍କ ଝିଅ ଶଙ୍କରି ଗତ ୫ ତାରିଖ ଦିନ କଲେଜ ଯାଉଛି କହି ଘରୁ ବାହାରି ଆଉ ଫେରି ନଥିଲା । ନିକଟସ୍ଥ ଜଙ୍ଘଲରେ ଶଙ୍କରିର ଶବ ଝୁଲୁଥିବା ପ୍ରଚାର ହେବାପରେ ପରିବାର ଲୋକ ଘଟଣାସ୍ଥଳକୁ ଆସି ଝିଅର ଶବ ଚିହ୍ନଟ କରିଥିଲେ । ଏ ନେଇ ପୁଲିସକୁ ମଧ୍ୟ ଖବର ଦେଇଥିଲେ । ତେବେ ଛାତ୍ରୀଙ୍କୁ କାହିଁକି ହତ୍ୟା କରାଗଲା ସେ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।