
ପୁରୀ, ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀକ୍ଷେତ୍ରରେ ମୁକୁଳା ଡ୍ରେନ୍ ରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ପୁରୀ ବଡଦାଣ୍ଡ ମାର୍କେଟ ଛକ ନିକଟ ନାଳରୁ ବୁଧବାର ସକାଳୁ ସମ୍ପୃକ୍ତ ଯୁବକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଉଦ୍ଧାର କରିଛି । ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ସେ ନାଳରେ ପଡି ପ୍ରାଣ ହରାଇଛନ୍ତି କିମ୍ବା କେହି ତାଙ୍କୁ ହତ୍ୟା କରିବା ପରେ ନାଳରେ ଫିଙ୍ଗି ଚାଲିଯାଇଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ହେବ ରଥଯାତ୍ରା ପାଇଁ ଡ୍ରେନ୍ ସଫେଇ କାର୍ଯ୍ୟ ଚାଲୁ ରହିଛି । କେତେକ ସ୍ଥାନରେ ଡ୍ରେନରୁ ସ୍ଲାପ୍ ଉଠାଯାଇ ପଙ୍କୋଦ୍ଧାର କାର୍ଯ୍ୟ ଚାଲିଛି । ପଙ୍କୋଦ୍ଧାର ପରେ ଡ୍ରେନ୍ ଉପରେ ସ୍ଲାପ୍ ଗୁଡିକ ଘୋଡାଯାଉନାହିଁ ଯେଉଁଥିପାଇଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।