ଗଞ୍ଜାମ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ହେଲିକେପ୍ଟର ଯୋଗେ ଭୁବନେଶ୍ଵରରୁ ବାହାରି ୧୦ ଟା ସମୟରେ ପୁରୁଷୋତମପୁର ନିକଟସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ । ସେଠାରୁ ସେ କାରକେଡରେ ଯାଇ କୁମାରୀ ପର୍ବତରେ ପୂଜା ପାଉଥିବା ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରେ ପହଂଚି ଥିଲେ । ସେଠାରେ ସେବାୟତ ଓ ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ମନ୍ଦିରର ନୂତନ ପ୍ରାସାଦ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ପରେ ସେ ମା ତାରାତାରିଣୀଙ୍କୁ ଦର୍ଶନ କରିବା ପାଇଁ ଗର୍ଭ ଗୃହରେ ପ୍ରବେଶ କରି ମାଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ମନ୍ଦିରରେ ଦୀପଘରେ ଦୀପ ଜଳାଇଥିଲେ ଏବଂ ଯଜ୍ଞ ମଣ୍ଡପରେ ବସି ଯଜ୍ଞାନୁଷ୍ଠାନ ଦେଖିଥିଲେ । ଏହାପରେ ସେ ପର୍ବତ ପାଦ ଦେଶରେ ରହିଥିବା ସଭା ମଣ୍ଡପକୁ ଆସି ସର୍ବସାଧାରଣଙ୍କ ସଭାରେ ଯୋଗ ଦେଇଥିଲେ । ସେବାୟତ ମାନଙ୍କ ପକ୍ଷରୁ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ପୂଜକ ସ୍ଵାଗତ ଭାଷଣ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜନସାଧାଣଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି ସଭା ମଂଚରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନୂତନ ମନ୍ଦିରକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସେଠାରେ ସ୍ଥାପିତ ହୋଇଥିବା ଯଜ୍ଞ ମଣ୍ଡପ, ପ୍ରସାଦ ସେବନ ଭବନ, ସ୍ନାନ ମଣ୍ଡପ, ଦୀପ ଘର, ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଭିୟୁ ପଏଂଟର ମଧ୍ୟ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟା, ପଚାଂୟତ ପ୍ରତିନିଧି ତଥା ଜିଲ୍ଲାର ସାଂସଦ, ବିଧାୟକ ଓ ଜନସାଧାରଣ ଯୋଗଦେଇଥିଲେ ।
ଏହି ଅବସରରେ ମନ୍ଦିରର ପରିକଳ୍ପନା କରିଥିବା ପୂର୍ବତନ ସାଂସଦ ତଥା ଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଧର୍ମପତ୍ନୀ ରଜନୀ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।