ନୂଆଦିଲ୍ଲୀ, ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପର ନିଷିଦ୍ଧାଂଚଳରୁ ଭଗ୍ନ ସିଂହମୂର୍ତି ଉଦ୍ଧାର ହେବା ପରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ।
ସେ କହିଛନ୍ତି ଯେ ସତ କେବେ ଲୁଚି ରହେନା, ସତ୍ୟ ପ୍ରକାଶିତ ଓ ପ୍ରତିପାଦିତ ହୁଏ । ରାଜ୍ୟ ସରକାର କଳାପାହାଡିଆ ମାନସିକତାରେ ରହିଛନ୍ତି । ଏମାର ମଠ ୭୫ ମିଟର ନିଷିଦ୍ଧାଂଚଳରୁ ପ୍ରାଚୀନ ଭଗ୍ନ ସିଂହ ମୂର୍ତି ମିଳିଛି । ଯାହା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ – ଏହି ସିଂହ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ଓଡ଼ିଶା ଏବଂ ଇତିହାସ ସାଙ୍ଗରେ ହେଉଥିବା ଅନ୍ୟାୟ ସମସ୍ତେ ଦେଖୁଛନ୍ତି । ରାଜ୍ୟ ସରକାର ଖନନ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କରିନଥିଲେ ବୋଲି ସେ କହିବା ସହ ଆମେ ଇତିହାସ ସୁରକ୍ଷିତ ନ ରଖିପାରିଲେ, ଭବିଷ୍ୟତ ପିଢି କ୍ଷମା ଦେବନି ବୋଲି ସେ କହିଛନ୍ତି । ସରକାରଙ୍କ ଜିଦଖୋର ମନଭାବ ଯୋଗୁଁ ଏପରି ସ୍ଥିତି ଦେଖବାକୁ ମିଳୁଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବୈଜ୍ଞାନିକ ପଦ୍ଧତିକୁ ବାଦ ଦେଇ ଜିଦରେ କାମ କରିବା ଉଚିତ ନୁହେଁ । ଖନନ ବେଳେ ପୁରାତନ ଅବଶେଷାଂଶକୁ ହୋଇଥିବା କ୍ଷତି ସତରେ ପରିଣତ ହୋଇଛି । ଖଣ୍ଡିତ ସିଂହ ଓଡ଼ିଆ ଜାତିର ବ୍ୟାକୁଳତାକୁ ଗର୍ଜନ କରି କହୁଛି । ସିଂହ ଗର୍ଜନ କରିକି କହୁଛି ମୁଁ ଏଠାରେ ଅଛି, ମୁଁ ଖଣ୍ଡିତ ହୋଇଛି । ଗଙ୍ଗବଂଶର ପୁରାତନ ଅବଶେଷ ନଷ୍ଟ ହେବା ନିଶ୍ଚିତତାରେ ପରିଣତ ହୋଇଛି । ଏହି ପ୍ରସଙ୍ଗରେ ରାଜନୀତି ନକରିବାକୁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି ।