
ବଲାଙ୍ଗୀର, ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ପି. ପି. ଏକାଡେମୀ ଠାରେ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଭାକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସଦାଶିବ ମଲ୍ଲିକ ଯୋଗଦେଇ ଗୌତମ ବୁଦ୍ଧଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ। ରାଜ ଭୋଗ ଛାଡି ଗୌରିକ ବସ୍ତ୍ର ପରିଧାନ କରି ସଂସାରକୁ ଏକ ନିରାଟ ସତ୍ୟର ବାର୍ତ୍ତା ପ୍ରଦାନ କରିଥିଲେ ବୁଦ୍ଧ। କାମନାର ବିନାଶରେ ଦୁଃଖର ବିନାଶ ବୋଲି କହିଥିଲେ। ଭଗବାନ ବୁଦ୍ଧ ପ୍ରକୃତରେ ମଣିଷ ସମାଜର ପଥ ପ୍ରଦର୍ଶକ ଅଟନ୍ତି ବୋଲି ମୁଖ୍ୟବକ୍ତା ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ କହିଥିଲେ l ବଲାଙ୍ଗିର ନାଗରିକ କମିଟିର ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ନାଗରିକ କମିଟିର ସଭାପତି ବେଲାର ସେନ ଭୋଇ ସଭାପତିତ୍ଵ କରିଥିଲେ।
ଏହି ଅବସରରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ସଫଳ ଚିକିତ୍ସକ ଡ଼. ରୁଦ୍ରନାରାୟଣ ପଟେଲଙ୍କୁ କମିଟି ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ ନାଗରିକ କମିଟିର ସଭ୍ଯ ବୃନ୍ଦାବନ ବରାଳ, ବିକ୍ରମ ବହିଦାର, ପଙ୍କଜିନୀ ପଣ୍ଡା, ସଂଗ୍ରାମ ବହିଦାର, ଚକ୍ରପାଣି ଦାଶ, ନିରୁପମା ଉଦ଼୍ଗାତା, ଗୋପଭୁଷଣ ନାଥ, ଦିବାକର ହୋତା, ପୀତବାସ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କମିଟିର ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।