-
୫ ଦିନ ହେବ ନିଖୋଜ ଥିଲେ
ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ବ୍ରହ୍ମପୁରରୁ ଉଦ୍ଧାର ହୋଇଛନ୍ତି । ଗତ ୫ ଦିନ ତଳେ ସେ ଭୁବନେଶ୍ୱର ଘରୁ ନିଖୋଜ ହୋଇଯାଇଥିଲେ । ତାମିଲନାଡୁର ରାମେଶ୍ୱରମ୍ ଠାରୁ ଆସି ବ୍ରହ୍ମପୁରରେ ପହଂଚିବା ପରେ ଶ୍ରୀ ପାଢ଼ୀଙ୍କୁ କମିଶନରେଟ ପୁଲିସ ଠାବ କରିଥିଲା । ତାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ୱର ଅଣାଯାଉଥିବା କ୍ୟାପିଟାଲ ଥାନା ଆଇଆଇସି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ଶ୍ରୀ ପାଢ଼ୀ ନିଖୋଜ ହେବା ନେଇ ତାଙ୍କ ପୁଅ ସଙ୍ଗୀତ ପାଢୀ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଏତଲାରେ ତାଙ୍କ ପୁଅ ଦର୍ଶାଇଥିଲେ ଯେ, ଶ୍ରୀ ପାଢ଼ୀ ୟୁନିଟ୍-୬ସ୍ଥିତ ରାଧାକ୍ରିଷ୍ଣ ଏନ୍କ୍ଲେଭ ଘରୁ ମେ’ ୧୨ ତାରିଖ ସକାଳୁ ଘରୁ ବାହାରକୁ ଯାଇଥିଲେ । ଶ୍ରୀ ପାଢ଼ୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ଆସିଥିଲା । ତାଙ୍କୁ ଅପହରଣ କରାଯାଇଥାଇପାରେ ବୋଲି ପୁଅ ସନ୍ଦେହ ପ୍ରକଟ କରିଥିଲେ । କିନ୍ତୁ ୧୪ ତାରିଖ ରାତି ପାଖାପାଖି ସାଢ଼େ ୯ଟା ସମୟରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ସେ ତାମିଲ୍ନାଡ଼ୁ ରାମେଶ୍ୱରମରେ ଥିବା କହିଥିଲେ । କେହି ବ୍ୟସ୍ତ ହୁଅନି ମୁଁ ଦୁଇଦିନରେ ଘରେ ପହଂଚିବି ବୋଲି କହିଥିଲେ ।
ନମ୍ବର ଟ୍ରାକିଂରୁ ଜଣାପଡ଼ିଥିଲା ଯେ, ଯେଉଁ ନମ୍ବରରୁ କଲ୍ ଆସିଛି ତାହା ଚେନ୍ନାଇର । ଏହାପରେ ପୋଲିସର ଏକ ଟିମ୍ ସହ ତାଙ୍କ ପୁଅ ତାମିଲ୍ନାଡ଼ୁ ଯାଇଥିଲେ । ସେଠାରେ ତାଙ୍କୁ ଖୋଜାଖୋଜି କରିଥିଲେ । ଶେଷରେ ତାଙ୍କର ସନ୍ଧାନ ମିଳିଛି ।
ଉଲ୍ଲେଖନୀୟ ଯେ, ସରୋଜ କୁମାର ପାଢୀ ୨୦୦୪ ରୁ ୨୦୦୯ ଆସିକାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ପୁଣି ୨୦୦୯ ରେ ସ୍ୱାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ । ୨୦୧୪ ନିର୍ବାଚନ ସେ କଂଗ୍ରେସ ଟିକଟରେ ଲଢ଼ି ପରାଜିତ ହୋଇଥିଲେ ।