ବଲାଙ୍ଗିର, ବଲାଙ୍ଗୀର ସହରରେ ଜନସଂଖ୍ୟା ବଢୁଛି । ସେହି ପରିମାଣରେ ଲୋକଙ୍କ ଆବଶ୍ୟକତା ମଧ୍ୟ ବଢୁଛି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକଗୁଡିଏ ବିକାଶମୂଳକ ପ୍ରକଳ୍ପ ପୌରପାଳିକା ପକ୍ଷରୁ ହାତକୁ ନିଆଯାଇଛି । ବଲାଙ୍ଗୀର ସହର ଭିତରେ ନିର୍ମିତ ହୋଇଥିବା ୨ ଟି ଶୌଚାଳୟ ଆଜି ଉଦଘାଟିତ ହୋଇଛି । ପୂର୍ବରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଏକ ଶୌଚାଳୟକୁ ବଲାଙ୍ଗୀର ପୌରପାଳିକାର ଅଧ୍ୟକ୍ଷା ଲିକା ସାହୁ ଉଦଘାଟନ କରିଥିଲେ । ଆଜି ଟିକ୍ରାପଡା ଛକ ଓ ରୁଗୁଡିପଡା ଛକ କଳାମଣ୍ଡଳ ରୋଡରେ ଦୁଇଟି ଶୌଚାଳୟକୁ ଉଦଘାଟନ କରାଯାଇଛି । ପୌରପାଳିକାର ନିର୍ବାହୀଅଧିକାରୀ ବିପିନବିହାରୀ ଦୀପଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସମ୍ମାନୀତ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ
ଭୋଇ, ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅନ୍ୟାନ୍ୟ କାଉନସିଲର ଗଣ ଯୋଗଦେଇଥିଲେ । ପ୍ରତ୍ୟେକ ଶୌଚାଳୟ ପାଇଁ ପୌରପାଳିକା ପକ୍ଷରୁ ୩୭ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଇଛି । ଏଥିରେ ମହିଳା ଓ ପୁରୁଷଙ୍କ ପାଇଁ ୫ଟି ଲେଖାଏଁ ଟୟଲେଟ, ୨ଟି ଲେଖାଏଁ ବାଥରୁମ, ୬ଟି ୟୁରିନାଲର ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ଦିବ୍ୟାଙ୍ଗମାନଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି । ଏଣିକି ବଲାଙ୍ଗୀରବାସୀ ଏହାକୁ ବ୍ୟବହାର କରିପାରିବେ ବୋଲି ପୌରାଧ୍ୟକ୍ଷା ଲିକା ସାହୁ କହିଥିଲେ ।
ଠିକ ସେହିପରି ବଲାଙ୍ଗୀର ସହରରେ ୨୭ ଲକ୍ଷ ଟଙ୍କା ବ୍ୟୟରେ ୫ଟି ୟୁରିନାଲ ମଧ୍ୟ ନିର୍ମାଣ କରାଯାଇଛି । ତାହା ମଧ୍ୟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି । ଏହି ସବୁ ଶୌଚାଳୟକୁ ସୁଲଭ ଇଣ୍ଟରନେସନାଲ ସଂସ୍ଥା ପରିଚାଳନା କରିବ । କେବଳ ଲ୍ୟାଟ୍ରିନ ଗଲେ ଗ୍ରାହକଙ୍କୁ ୫ ଟଙ୍କା ଓ ଉଭୟ ଲ୍ୟାଟ୍ରୀନ ଓ ଗାଧୋଇବାକୁ ହେଲେ ୭ ଟଙ୍କାର ଫି ଦେବାକୁ ପଡିବ । ୟୁରିନାଲ ଯିବାକୁ କୌଣସି ଫି ଦେବାକୁ ପଡିବ ନାହିଁ ବୋଲି ସୂଚନା ଦିଆଯାଇଛି ।
ଏହି ଅବସରରେ ଉପସ୍ଥିତ ଗଣମାଧ୍ୟମକୁ ସୂଚନା ଦେଇ ପୌରାଧ୍ୟକ୍ଷା କହିଥିଲେ ଯେ, ବଲାଙ୍ଗୀରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି । ଆଗକୁ ଆହୁରି ବିକାଶ କାମ କରାଯିବାକୁ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ ରହିବାର ଆବଶ୍ୟକତା ରହିଛି । ଉପସ୍ଥିତ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ବଲାଙ୍ଗୀରର ଅନେକଗୁଡିଏ ବିକାଶ କାମ ବାକି ରହିଛି । ସେହିସବୁ କାମ କରିବାକୁ ପୌରପାଳିକା ଓ ବିଧାୟକ, ସାଂସଦଙ୍କ ମିଳିତ ଆବଶ୍ୟକ ବୋଲି କହିଥିଲେ । ସେ ସବୁବେଳେ ସହଯୋଗ କରୁଛନ୍ତି ଓ କରୁଥିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ତେବେ ଉଦଘାଟନୀ ପୂର୍ବରୁ ଉଭୟ ବିଧାୟକଙ୍କ ସମର୍ଥକ ଓ ବିଜେଡି ସମର୍ଥକମାନେ କିଛି ସମୟ ନାରାବାଜି କରିଥିଲେ । ତଥାପି ଉଭୟ ଶାସକ ଓ ବିରୋଧି ଦଳ ପକ୍ଷରୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଉଦଘାଟନୀ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଗତ କିଛିଦିନ ପୂର୍ବରୁ ଟିଟିଲାଗଡ ପୌରପାଳିକାରେ ବଇଠକ ବେଳେ ପୌରାଧ୍ୟକ୍ଷା ଓ ସ୍ଥାନୀୟ ମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିପାଇଁ ମନ୍ତ୍ରୀଙ୍କୁ ସମାଲୋଚନାର ଶୀକାର ହେବାକୁ ପଡିଥିଲା । କିନ୍ତୁ ଆଜି ବଲାଙ୍ଗୀରର କାର୍ଯ୍ୟକ୍ରମରେ ବିଧାୟକ ଓ ପୌରାଧ୍ୟକ୍ଷାଙ୍କ ସହଯୋଗ ସହମତି ବଲାଙ୍ଗୀରବାସୀଙ୍କ ପାଇଁ ନୂତନ ଆଶା ସଂଚାର କରିଛି । କାର୍ଯ୍ୟକ୍ରମରେ ପୌରପାଳିକାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।