ଭୁବନେଶ୍ୱର , ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ପୁଣି ପ୍ରଶ୍ନ ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମନ୍ଦିର ସହ ସଂପୃକ୍ତ ଜଣେ ବ୍ୟକ୍ତି ୩ଟି ଗୁରୁଦାୟିତ୍ୱରେ ରହିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।
ଏହା ସଂଯୋଗ ନା ଯୋଜନାବଦ୍ଧ ବୋଲି ଟୁଇଟ୍ କରି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ଷଡଙ୍ଗୀ ।
ସେ ନିଜର ଟୁଇଟରରେ ଲେଖିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସରକାରଙ୍କ ପୂର୍ତ ବିଭାଗର ସଚିବ ତଥା ଓଡ଼ିଶା ବ୍ରିଜ୍ ନିର୍ମାଣ ନିଗମ (ଓବିସିସି)ର ବର୍ତମାନର ଅଧ୍ୟକ୍ଷ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ଆଡମିନିଷ୍ଟ୍ରେସନର ମୁଖ୍ୟ ପ୍ରଶାସକ ଅଟନ୍ତି । ପୂର୍ବରୁ ଥିବା ପୂର୍ତ ସଚିବ ମଧ୍ୟ ସମାନ ଦାୟିତ୍ୱରେ ଥିଲେ । ଏହା କେବଳ ଏକ ସଂଯୋଗ ନା ଯୋଜନା ପ୍ରସ୍ତୁତ? ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବରେ, ଓବିସିସିକୁ କାମ ଦେଉଛନ୍ତି, ବିଲ୍ ପାସ୍ କରୁଛନ୍ତି ଏବଂ ଦେୟ ପ୍ରଦାନ କରୁଛନ୍ତି । ଓବିସିସିର ଅଧ୍ୟକ୍ଷ ଭାବେ ତାଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଏବଂ ଦେୟ ଗ୍ରହଣ କରିବାକୁ ଦାୟିତ୍ୱ ଦିଆଯାଇଛି ।
ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ନାମରେ ଟେଣ୍ଡର ଘୋଷଣା କରୁଛନ୍ତି ସେହି ସମାନ ବ୍ୟକ୍ତି ଓଡିଶା ବ୍ରିଜ କନଷ୍ଟ୍ରକ୍ସନ କର୍ପୋରେସନ ନାମରେ ଟେଣ୍ଡର ପାଉଛନ୍ତି । ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି?
ଏହା ହେଉଛି ଏକ ବଡ଼ ଦ୍ୱନ୍ଦ୍ୱ ଏବଂ ଆର୍ôଥକ କାରବାରରେ ସର୍ବନିମ୍ନ ଶୃଙ୍ଖଳାକୁ ଉଲ୍ଲଂଘନ କରାଯାଇଛି । ନିର୍ଦ୍ଧିଷ୍ଟ ଅଧିକାରୀ ତିନି ତିନୋଟି ଦାୟିତ୍ୱରେ କିପରି ଭାବେ ଅବସ୍ଥାପିତ । ଏଭଳି କାହିଁକି କରାଯାଇଛି, ତାହା ଜାଣିବାକୁ ଆମେ ସମସ୍ତେ ଚାହିଁବୁ ବୋଲି ଶ୍ରୀମତୀ ଷଡଙ୍ଗୀ ଟୁଇଟ୍ କରିଛନ୍ତି ।