
-
ଡ୍ରାଇଭରଙ୍କ ମୃତ୍ୟୁ, ଆଉ ଜଣେ ଡ୍ରାଇଭର ଗୁରୁତର
ଧର୍ମଶାଳା, ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ବଡ଼ଚଣା ଛକ ଓଭର ବ୍ରିଜ୍ ଉପରେ ଆଜି ଭୋର୍ ସମୟରେ ଘଟିଛି ସଡକ ଦୁର୍ଘଟଣା । ଯାଜପୁର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ବଡ଼ଚଣା ଓଭର ବ୍ରିଜ ଉପରେ ପଛପଟୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଆଗରେ ଯାଉଥିବା ଟ୍ରକ ର ଡ୍ରାଇଭର ଗାଡିର ଆଗକୁ ଛିଟିକି ପଡ଼ିବା ସହ ଟ୍ରକ୍ ର ଚକା ତଳେ ପଡି ଚାପିହୋଇ ପ୍ରାଣ ହରାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନଥିବା ବେଳେ ପଛପଟୁ ଯେଉଁ ଟ୍ରକ୍ ଟି ଧକ୍କା ଦେଲା ସେହି ଟ୍ରକ୍ ର ଡ୍ରାଇଭରଙ୍କ ନାମ ପବିତ୍ର ବେହେରା ଏବଂ ଘର ବାଙ୍କୀର ପଶାଣୀ ଅଂଚଳରେ ବୋଲି ଜଣାପଡିଛି । ଦୁର୍ଘଟଣାରେ ସେ ଗୁରୁତର ହୋଇପଡିଛନ୍ତି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତରଙ୍କୁ ଗ୍ୟାସ କଟର ସାହାଯ୍ୟରେ କାଟି ବାହାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ବଡ଼ଚଣା ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଦୁଇଟିକୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।