
ରାଉରକେଲା, ରାଉରକେଲା ମହାନଗର ନିଗମ (ଆରଏମସି)ରେ ଦିର୍ଘ ୮ ବର୍ଷ ଧରି ଗୋଟିଏ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ସଫେଇ କାମରେ ୯ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ କରାଯାଇଛି। ଏନେଇ ରାଜ୍ୟ ଭିଜିଲାନ୍ସ ତଦନ୍ତ କରିବା ଲାଗି ଆଜି ରାଉରକେଲାର ଉଦିତନଗର ଅଂଚଳରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ କଂଗ୍ରେସର ପୂର୍ବତନ ସଂପାଦକ ରଶ୍ମୀ ରଂଜନ ପାଢୀ ଦାବି କରିଛନ୍ତି ।
ଆରଟିଆଇ ତଥ୍ୟକୁ ଆଧାର କରି ଶ୍ରୀ ପାଢୀ କହିଛନ୍ତି ଯେ, ଆରଏମସି ରେ ୮ଟି ୱାର୍ଡରେ ସଫେଇ କାମ କରୁଥିବା ଏନଭି କେୟାର ନାମକ ଠିକା ସଂସ୍ଥାକୁ ବିନା ଟେଣ୍ଡରରେ ସଫେଇ କାମ ଦିଆଚାଲିଛି । ଗତ ମାର୍ଚ୍ଚ ସୁଦ୍ଧା ଏହି ସଂସ୍ଥା ମହାନଗର ନିଗମ ଠାରୁ ପ୍ରାୟ ୯କୋଟୀ ଟଙ୍କା ନେଇ ସାରିଲାଣି, କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ, ବିନା ଖୋଲା ଟେଣ୍ଡରେ ଏହି କାମ ଦିଆ ଚାଲିବା ସହ ଏହି ଆରଏମସିରେ କାମ କରିଥିବା ଓ କରୁଥିବା ବାବୁ ମାନେ ଏହି ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ସରକାରୀ ନୀତି ନିୟମକୁ କୁଠାରଘାତ କରିଚାଲିଛନ୍ତି । ରାଉରକେଲା ମହାନଗର ବାସୀ ହୋଲଡିଂ ଟିକସ ଦେଇ ସହରର ଉନ୍ନତି କରିବାକୁ ସ୍ଵପ୍ନ ଦେଖୁଥିବା ବେଳେ ,ଏଠାରେ କିଛି ବାବୁ ଏହିଭଳି ଠିକା ସଂସ୍ଥାକୁ ପୋଷିବା ସହ ନିଜେ ମସଗୁଲ ରହୁଥିବା ଅଭିଯୋଗ ହୋଇଛି । ମହାନଗର ନିଗମର ୧୫ରୁ ୨୨ନମ୍ବର ୱାର୍ଡ ଲାଗି ଏନଭିକେୟାର ନାମକ ଠିକା ସଂସ୍ଥାକୁ ସଫେଇଲାଗି ନିୟୋଜିତ କରାଯାଇଛି । ଏହି ନିୟୋଜନରେ କୌଣସି ଟେଣ୍ଡର କରାଯାଇ ନାହିଁ, ମାସିକ ଏହି ସଂସ୍ଥାକୁ ୭ ଲକ୍ଷ ୭୦୩ ଟଙ୍କା ଦିଆଯାଉଥିବା ବେଳେ ବର୍ତମାନ ୩ ଲକ୍ଷ ୪୩ ହଜାର ଟଙ୍କା ବଢାଇଦେଇ ମାସିକ ୧୧ଲକ୍ଷ ୨୦ ହଜାର୬୦୨ ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି । ବିନା ଟେଣ୍ଡରରେ କାମ ଦିଆ ଚାଲିଥିବା ବେଳେ ଆରଏମସିର ଜଣେ ଡେପୁଟୀ କମିଶନର ଏହି ସଂସ୍ଥାକୁ କାମ ଦେବାଲାଗି ୧୨ ଥର ବିଭିନ୍ନ ସମୟରେ ସୁପାରିଶ କରିବା କଥା ଆମ ସ୍ଵଛ ଶାସନ ଓ ୫-ଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଲଗାଇବା ସ୍ଵାଭାବିକ କଥା ବୋଲି ଶ୍ରୀ ପାଢୀ କହିଛନ୍ତି ।
ବର୍ତମାନ ପ୍ରଶ୍ନ ଉଠୁଛି, ରାଉରକେଲା ମହାନଗରରେ ଏହି ଗୋଟିଏ କେଳେଙ୍କାରୀ ନୁହେଁ, ଅନେକ କେଳେଙ୍କାରୀ ଲାଗି ରହିଛି, ହେଲେ ଆମ ରାଉରକେଲା ଭିଜିଲାନ୍ସକୁ ଗୋଟିଏ ହେଲେ ଦେଖା ଯାଉନାହିଁ। ଖୋଦ ଜଣେ ଯୁବନେତା ଆରଟିଆଇ ତଥ୍ୟ ବଳରେ ୯ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣି ଭିଜିଲାନ୍ସ ତଦନ୍ତ ଲାଗି ଦାବି କରିବା ପରେ ଭିଜିଲାନ୍ସ ବିଭାଗ ଏହାକୁ କିଭଳି ତଦନ୍ତ କରୁଛି ଓ ସେ କେଉଁ ଡେପୁଟୀ କମିଶନର ଯିଏ କି ଏତେ ଅନୁକମ୍ପା ଏହି ଠିକା ସଂସ୍ଥାକୁ ଦେଖାଇଛନ୍ତି ତାଙ୍କ ଉପରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ଦେଖିବାକୁ ବାକି ରହିଲା । ଯଦି ଏନେଇ ସଠିକ ସମୟରେ ସଠିକ ତଦନ୍ତ କରା ନଯାଏ ତେବେ ଖୁବ ଶିଘ୍ର ନ୍ୟାୟାଳୟରେ ମାମାଲା କରାଯିବାର ବ୍ୟବସ୍ଥା କରାଜିବ ବୋଲି ଶ୍ରୀ ପାଢୀ କହିଛନ୍ତି ।