କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ଉତ୍କଟ ହେଉଛି । ପାନୀୟ ଜଳ ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ସ୍ଵାଧୀନତାର ଦୀର୍ଘ ପ୍ରାୟ ୭୪ ବର୍ଷ ପରେ ବି ଏହି ସମସ୍ୟା ଜିଲାର ମୁଖ୍ୟ ସମସ୍ୟା ଭାବେ ଆଜି ବି ଠିଆ ହୋଇଛି । ଜିଲ୍ଲାର ଅଧିକାଂଶ ଗ୍ରାମାଚଂଳରେ ଏହି ସମସ୍ୟା । ଡହ ଡହ ଖରାରେ ଅନେକ ଅଂଚଳର ମହିଳାମାନଙ୍କୁ ପାନୀୟଜଳ ଟୋପାଏ ପାଇଁ ପାଦରେ ଚାଲି ଚାଲି କିଲୋମିଟର କିଲୋମିଟର ଯିବାକୁ ପଡୁଛି । ରାଜନୈତିକ ଇଛା ଶକ୍ତି ସହ ସଚେତନନତାର ଅଭାବ ସାଙ୍ଗକୁ ମୋଟା ଅଙ୍କର ଦରମାପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ଆଗ୍ରହର ଅଭାବ କାରଣରୁ କେନ୍ଦୁଝର ଭଳି ଅବିଭକ୍ତ ଜିଲ୍ଲାରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରୁନଥିବା ଘଟଣାକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ବହୁଳ ମତ ପ୍ରକାଶ ପାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଆଦିବାସୀ ବହୁଳ ତେଲକୋଇ ବ୍ଳକ ଅଂଚଳରେ ।
ଯେଉଁ ଆଦିବାସୀଙ୍କ ପାଇଁ ସରକାର କାନ୍ଦୁଝନ୍ତି ସେହି ଆଦିବାସୀ ମହିଳା ମାନେ ପ୍ରବଳ ଖରାରେ ଗୋଡ ପୋଡି ଯାଉଥିବା ବେଳେ ପାଣି ଟୋପାଏ ପାଇଁ ପାଦରେ ଚାଲି ଚାଲି କିଲୋମିଟର କିଲୋମିଟର ଯାଉଥିବା ଦେଖିବାକୁ ମିଳୁଛି । ଯେଉଁଥିରୁ କେନ୍ଦୁଝର ଜିଲ୍ଲାର ବିକାଶ କିଭଳି କେବଳ କାଗଜ କଲମରେ ଚାଲିଛି ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଡିଏମ ଫଣ୍ଡରେ ପର୍ଯ୍ୟପ୍ତ ଅର୍ଥ ରହିଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ଏନଜିଓଙ୍କ ମାଧ୍ୟମରେ କାମ ମଧ୍ୟ ହେଉଛି । କିନ୍ତୁ, ଗ୍ରାମାଚଂଳର ନିରୀହ ଲୋକମାନେ ପାନୀୟ ଜଳ ଭଳି ସେମାନଙ୍କର ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି । ଜିଲ୍ଲାର ତେଲକୋଇ ବ୍ଳକର ତାଳପଦା ପଂଚାୟତ ଅନ୍ତର୍ଗତ ପଙ୍ଗା ଗାଁର ମୁଣ୍ଡା ସାହୀ ତାହାର ଏକ ଜ୍ଜଳନ୍ତ ଉଦାହରଣ । ସରକାରଙ୍କର ଲୋକାଭିମୁଖୀ ଯୋଜନା ସହ ସରକାରଙ୍କର ତଥାକଥିତ ବିକାଶ ଯେପରି ଏମାନଙ୍କ ପାଇଁ ପାଲଟିଛି ସାତସପନ। ଏହି ତଥାକଥିତ ବିକାଶରେ ମୁଣ୍ଡା ସାହିକୁ ନାଁ ଅଛି ଖଣ୍ଡିଏ ରାସ୍ତା ନା ଅଛି ପାନୀୟଜଳର ବ୍ୟବସ୍ଥା । ସାହିରେ ନଳକୂପ ରହିଛି ସତ କିନ୍ତୁ ସେଥିରୁ ଖାଲି ଗୋଳିଆ ପାଣି ହିଁ ବାହାରୁଛି । ଯାହା ଆଦୌ ବ୍ୟବହାର ଉପଯୋଗୀ ନୁହେଁ । ଏହି ଗୋଳିଆପାଣି ବ୍ୟବହାର କରି ମଧ୍ୟ ଅଂଚଳର ଲୋକମାନେ ଚର୍ମ ରୋଗ, ପେଟରୋଗ ଆଦିରେ ପଡୁଛନ୍ତି । ଫଳରେ ଏହି ଆଦିବାସୀ ପ୍ରଜା ମାନଙ୍କ ପାଇଁ ଏବେ ଚୁଆ ପାଣି ଏକମାତ୍ର ଭରସା । ଡହ ଡହ ଖରାରେ କାଖରେ ଛୋଟ ପିଲା ଓ ମୁଣ୍ଡରେ ଗରା ଧରି ସାହିର ମହିଳାମାନେ ପାଣି ଟୋପାଏ ପାଇଁ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଇଥାଆନ୍ତି ପ୍ରାୟ ୨ କିଲୋମିଟରରୁ ଅଧିକ ରାସ୍ତା । ଜଙ୍ଗଲ ରାସ୍ତାରେ ବଣୁଆ ଜନ୍ତୁଙ୍କ ଭୟ ଥିବାରୁ ମହିଳା ମାନଙ୍କ ସହ ପୁରୁଷ ମାନଙ୍କୁ ମଧ୍ୟ ଯିବାକୁ ପଡିଥାଏ । ଏହି ଚୁଆ ପାଣିକୁ ଲୋକମାନେ ବାଧ୍ୟ ହୋଇ ଜୀବନବିକଳରେ ପିଉଛନ୍ତି ସିନା କିନ୍ତୁ ତାହା ମଧ୍ୟ ପାନୀୟ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ଶାନ୍ତିଲତା ମୁଣ୍ଡା , ପାଲମା ମୁଣ୍ଡ , ମୀନତି ପିଓ ପ୍ରମୁଖ ମହିଳାମାନେ । କିନ୍ତୁ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ସରକାର ଓ ଜିଲ୍ଲା ପ୍ରଶାସନ କେବେ ଏମାନଙ୍କ ଦୁଖ ବୁଝୁଛନ୍ତି ତାହା ହିଁ କେବଳ ଦେଖିବାକୁ ବାକି ରହିଲା ।