ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଳକ ଅନ୍ତର୍ଗତ ନଅଗାଁ (ଖ) ଠାରେ ଗତ ୧୦ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ବୁଢାଦେଓ ମନ୍ଦିର ଓ ପାଟଣେଶ୍ବରୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ । ଏହି ଅବସରରେ କଳସ ଶୋଭାଯାତ୍ରା, ନାମସଂକୀର୍ତନ, ପାରାୟଣ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସଭା ଅନୁଷ୍ଠିତ ହେବା ସହ ଲୋକନୃତ୍ଯ ଓ ଗୀତରେ ସାଂସ୍କୃତିକ ମଞ୍ଚ ମୁଖରିତ ହୋଇ ଉଠିଥିଲା ।
ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ନଅଗାଁର ବରପୁତ୍ର ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ସଭାପତିତ୍ବ କରିଥିଲେ ।ଉଦଯାପନୀ ଉତ୍ସବର ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପାଟଣା ମହାରାଜା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବଲାଙ୍ଗୀର ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ କୌତୁକ ପନ୍ଦର, ଗୋଣ୍ଡୱାନା ଗୋଣ୍ଡ ମହାସଭା, ବଲାଙ୍ଗୀର ମହାସଚିବ ରାମଚନ୍ଦ୍ର ଧରୁଆ, ଗୋଣ୍ଡୱାନା ଗୋଣ୍ଡ ମହାସଭା ରାଷ୍ଟ୍ରୀୟ ସଦସ୍ୟ ଗଣେଶରାମ ମାଝୀ ପ୍ରମୁଖ ମଂଚାସୀନ ହୋଇଥିଲେ । ଅତିଥି ମାନେ ସାମାଜିକ ଏକତା ଓ ସଂସ୍କୃତିର ସମୃଦ୍ଧି ପାଇଁ ଏପରି ଉତ୍ସବର ଆୟୋଜନ ଉପରେ ଗୁରୁତ୍ବଆରୋପ କରି ସାମାଜିକ ସୁରକ୍ଷା ପାଇଁ ମଧ୍ୟ ଏହାର
ଆବଶ୍ୟକତା ଥିବା କହିଥିଲେ । ସଭାପତି ଅଭିଭାଷଣରେ ଡକ୍ଟର ମୁକେଶ ମହାଲିଙ୍ଗ ନଅଗାଁରେ ଏପରି ମନ୍ଦିର ପ୍ରତିଷ୍ଠା ଏକତା ସୃଷ୍ଟିର ଅନ୍ୟତମ ଉଦାହରଣ ବୋଲି କହି ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟି ସଂପାଦକ ପ୍ରଶାନ୍ତ କୁମାର ନାୟକ ମହୋତ୍ସବକୁ ଲୋକ ଏକତାର ଚିହ୍ନ ବୋଲି କହିଥିଲେ । ଶେଷରେ ଉପସଭାପତି ସଦାନନ୍ଦ ପଶାୟତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପରେ ପରେ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳ, ଗଡମେକର କେନ୍ଦ୍ରାପଡା, ଲହରୀ ସମ୍ବଲପୁର ,ସୃଜନୀ କଲିକତା ଓ ଖରଜୁରାର ଆଞ୍ଚଳିକ ଲୋକନୃତ୍ଯ ଦଣ୍ଡ ନୃତ୍ୟକୁ ହଜାର ହଜାର ଜନତା ଉପଭୋଗ କରିଥିଲେ । ତିନି ଦିନର ଏହି ସାଂସ୍କୃତିକ ସଭାରେ ଅଞ୍ଚଳର ବହୁ ଜ୍ଞାନୀ, ଗୁଣୀ, ସମାଜସେବୀ, ରାଜନେତା, ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।